କପଟିଆ କାଳିଆ ଠାକୁର । ତାର ରୂପ ନିଆରା, ହସ ନିଆରା ଓ ବେଶ ବି ନିଆରା । ଭକ୍ତକୁ ତା ପାଖକୁ ଡୋରୀ ଲଗାଇ ଦେଇ ସର୍ବଦା ଭକ୍ତିରସରେ ବୁଡି ରହୁଥିବା ଏହି ରସିକିଆ ଠାକୁରଙ୍କ ଲୀଳାଖେଳା କାହାକୁ ବା ଅଜଣା । ରଙ୍ଗ ଅଧରରେ ମନ୍ଦ ମନ୍ଦ ହସ, ତ୍ରିଭଙ୍ଗୀ ଠାଣି, ବାଙ୍କ ଚାହାଣୀ ,ବିଭିନ୍ନ ରୂପ ଓ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେଥିମଧ୍ୟରୁ ଭଗବାନଙ୍କ 25 ବର୍ଷ ପରେ ପଡୁଥିବା ନାଗାର୍ଜୁନ ବେଶ ଅନ୍ୟତମ ।
କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ଅର୍ଥାତ୍ ପଞ୍ଚୁକ ପାଞ୍ଚ ଦିନ ପରିବର୍ତ୍ତେ ୬ ଦିନ ପଡ଼ିଲେ ଅତିରିକ୍ତ ଦିନରେ ଅର୍ଥାତ ଦ୍ୱାଦଶୀ ତିଥିରେ ଏହି ନାଗାର୍ଜୁନ ବେଶ ହୋଇଥାଏ ଏବଂ ଚଳିତ ବର୍ଷ ଏଭଳି ଛଅ ଦିନ ପଡୁଛି। ପଞ୍ଜିକାରଙ୍କ ଗଣନା ଅନୁଯାୟୀ, ୨୦୨୦ ନଭେମ୍ବର ୨୭ରେ ମହାପ୍ରଭୁ ଏହି ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। କନାଜରି ବେତରେ ନିର୍ମିତ ଏହି ବେଶରେ ଜଗନ୍ନାଥଙ୍କୁ ବୀର ରୂପେ ସଜାଇ ଦିଆଯାଇଥାଏ ।
ଆଜି ନାଗାର୍ଜୁନ ବେଶ
ଶେଷ ହୋଇଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । 16 ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜ୍ଜିତ ହୋଇଛନ୍ତି ମହାବାହୁ । ଦୁଇ ଠାକୁରଙ୍କ ମସ୍ତକରେ ଶୋଭାପାଉଛି ହାଣ୍ଡିଆ । ସେହିପରି ଦେବୀ ସୁଭଦ୍ରା ତ୍ରିଭୁବନେଶ୍ବରୀ ବେଶରେ ହୋଇଛନ୍ତି ଆଭୂଷିତ ।
ଆଜି ରାତି ୧୨ଟାରେ ଶ୍ରୀଜିଉଙ୍କ ପହୁଡ଼ ନୀତି ହୋଇଥିଲା। ରାତି ୨ଟାରେ ଦ୍ବାରଫିଟା । ରାତି ୨ଟା ୩୦ରେ ମଙ୍ଗଳ ଆଳତି, ରାତି ୩ଟାରେ ହେବ ମଇଲମ ଓ ଭୋର୍ ୪ଟାରେ ଆରମ୍ଭ ହେବାକୁ ଥିବା ମହାପ୍ରଭୁଙ୍କ ନାଗାର୍ଜୁନ ବେଶ 3 ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି।
ନାଗାର୍ଜୁନ ବେଶ ପାଇଁ ପୁରୀ ବଡ ଦାଣ୍ଡରେ ଲାଗିଛି ୧୪୪ ଧାରା । ଶୃଙ୍ଗଳା ରକ୍ଷା ପାଇଁ 25 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଆଜି ମଧ୍ୟରାତ୍ରିରୁ କାଲି ବେଶ ଓ ଲାଗି ଯାଏ ୧୪୪ ଧାରା ବଳବତ୍ତର ରହିଥିଲା । ଏଥର ବିନା ଭକ୍ତରେ ହେଉଛି ନାଗାର୍ଜୁନ ବେଶ । ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ନେବା ଉପରେ କଟକଣା ଲଗାଯାଇଛି ।