ଓଡିଶା

odisha

By

Published : Nov 8, 2021, 9:20 PM IST

ETV Bharat / city

ପୁରୀ ପୌରପାଳିକାର ନୂଆ ୟୁଜର ଫି'କୁ ବିରୋଧ

ପୌରପାଳିକାର ନୂଆ ୟୁଜର ଫି'କୁ ବିରୋଧ । ଏନେଇ ଆଜି ପୁରୀରେ ବିଭିନ୍ନ ସଂଗଠନ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

municipalities new user fees protest by people of puri city
ପୁରୀ ପୌରପାଳିକାର ନୂଆ ୟୁଜର ଫି କୁ ବିରୋଧ

ପୁରୀ: ପୌରପାଳିକାର ନୂଆ ୟୁଜର ଫି କୁ ବିରୋଧ । ଏନେଇ ଆଜି ପୁରୀରେ ବିଭିନ୍ନ ସଂଗଠନ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ ସହରବାସୀ ପୌରପାଳିକାକୁ ବିଭିନ୍ନ ଫି ଦେଉଥିବାବେଳେ ପୁଣି ଏକ ନୂତନ ଫି କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପୁରୀବାସୀ।

ଗତ ଦୁଇବର୍ଷ ଧରି ସ୍ବଚ୍ଛ ପୁରୀ, ଗର୍ବ ଆମରି ଯୋଜନାରେ ପୁରୀ ପୌରପାଳିକାରେ ପ୍ରତି ୱାର୍ଡର ସାହି ଓ ଗଳିକନ୍ଦି ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି। ଏହି କାର୍ଯ୍ୟରେ ପୌରପାଳିକାର ୬୦ଟି ଗାଡି ଓ ୨୦୦ ରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି । ପ୍ରଥମ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଆର୍ଥିକ ଅନୁଦାନ ଯୋଗାଇଥିଲା। ଏବେ କିନ୍ତୁ ପୁରୀ ପୌରପାଳିକା ୫୦୦ ବର୍ଗ ଫୁଟ ବିଶିଷ୍ଟ ଘର ପାଇଁ ୨୫ ଟଙ୍କା, ୧୨ ଶହ ବର୍ଗ ଫୁଟ ଘର ପାଇଁ ୫୦ ଟଙ୍କା, ୩ ହଜାର ବର୍ଗ ଫୁଟ୍ ଘର ପାଇଁ ୭୦ ଟଙ୍କା ଓ ୫ ହଜାର ବର୍ଗଫୁଟ ଘର ପାଇଁ ମାସିକ ୧୦୦ ଟଙ୍କା ଶୁଳ୍କ ଆଦାୟ ଧାର୍ଯ୍ୟ ହୋଇଛି।

ପୁରୀ ପୌରପାଳିକାର ନୂଆ ୟୁଜର ଫି କୁ ବିରୋଧ

ପୁରୀ ପୌରପାଳିକାରେ ନୂଆ ୟୁଜର ଫି କୁ ବିରୋଧ। ପୂର୍ବରୁ ସହରବାସୀ ହୋଲଡିଂ ଟ୍ୟାକ୍ସ ଦେଉଥିବା ବେଳେ ଅଳିଆ ପାଇଁ ଏଣିକି ସେମାନଙ୍କୁ ପୁନଃ ୟୁଜର୍ସ ଫିସ ଦେବାକୁ ପଡିବ। ତେବେ ଏହାକୁ ନେଇ ପୁରୀର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଗତକାଲି ଭକ୍ତ ସାଲବେଗ ସ୍ମୃତି ପୀଠରେ ସମସ୍ତ ଅନୁଷ୍ଠାନ ଏକତ୍ରିତ ହୋଇ ବୈଠକ ପରେ ଆଜି ୩୧ ଟି ଅନୁଷ୍ଠାନ ପକ୍ଷରୁ ପୃଥକ ପୃଥକ ଭାବେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦିଆଯାଇଛି। ୟୁଜର୍ସ ଫିସ ନିଷ୍ପତ୍ତିର ପୁନର୍ବିଚାର ନହେଲେ ଏକ ଲକ୍ଷ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ସହ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ଅଳିଆ ଗାଡି ସହ ଯାଉଥିବା ସ୍ଵଚ୍ଛ ସାଥୀ କିମ୍ବା ପୌର କର୍ମଚାରୀ ଏହି ଦେୟ ଆଦାୟ କରିବେ। ଗତ ମାସ ୨୧ ତାରିଖରେ ପୁରୀ ପୌରପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବାବେଳେ ଚଳିତ ମାସ ୨ ତାରିଖରେ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା। ତେବେ ବାଧ୍ୟତାମୂଳକ ନୁହେଁ ଲୋକଙ୍କୁ ସ୍ଵଚ୍ଛ ପୁରୀ ପାଇଁ ୟୁଜର୍ସ ଫି ଦେବାକୁ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି। ଦେୟ ନଦେଲେ କି ପ୍ରକାର ପଦକ୍ଷେପ ନିଆଯିବ ସେ ନେଇ କୌଣସି ବିଷୟ ନିର୍ଦ୍ଦେଶନାମାରେ ଉଲ୍ଲେଖ ନାହିଁ।

ସ୍ଵଚ୍ଛ ଭାରତ ଅଭିଯାନ ସର୍ବେକ୍ଷଣରେ ପୁରୀ କ୍ରମାଗତ ଭାବେ ନିମ୍ନ ସ୍ଥାନ ହାସଲ କରୁଥିବାରୁ ଏହି ସ୍ବତନ୍ତ୍ର ପଦକ୍ଷେପ ଜରିଆରେ ସୁଧାର ଆଣିବା ପାଇଁ ପୁରୀ ପୌରପାଳିକା ଲକ୍ଷ୍ୟ ରଖିଛି। ତେବେ ଆଜି ବିଭିନ୍ନ ଅନୁଷ୍ଠାନର ପକ୍ଷରୁ ଦାବିପତ୍ର ଦିଆଯାଇଥିବା ବେଳେ ଏହି ପ୍ରସଙ୍ଗ ନେଇ ଜିଲ୍ଲାପାଳ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ବଡ଼କଥା ହେଉଛି ଏଭଳି ୟୁଜର୍ସ ଫି ସ୍ଵଚ୍ଛ ପୁରୀ କାର୍ଯ୍ୟକ୍ରମକୁ ଆହୁରି ସଂଗଠିତ ଓ ମଜବୁତ କରିବ‌ ବୋଲି ପ୍ରଶାସନ ଆଶା ରଖିଛି। ଏଥିପାଇଁ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ହଷ୍ଟେଲ, ଗେଷ୍ଟ ହାଉସ, ବାର୍, ହୋଟେଲ୍, ଉଠା ଦୋକାନୀ ପ୍ରଭୃତିଙ୍କ ପାଇଁ ଭିନ୍ନ ଭିନ୍ନ ୟୁଜର୍ସ ଫି ଧାର୍ଯ୍ୟ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details