ପୁରୀ: ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଦୀର୍ଘ 2 ବର୍ଷ ପରେ ଭୋଳାବାବାଙ୍କୁ ଜଳଲାଗି କରିବେ ଭକ୍ତ । କିଭଳି ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେନେଇ ପୁରୀ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ହେତୁ ବୋଲବମ୍ ଯାତ୍ରା ବନ୍ଦ ରହିଥିଲା । ତେଣୁ ଚଳିତ ବର୍ଷ ପ୍ରଭୁ ଲୋକନାଥଙ୍କ ପାଖରେ ବୋଲବମ୍ ଭକ୍ତଙ୍କ ବେଶ୍ ଭିଡ ରହିବ ବୋଲି ଆଶା କରାଯାଉଛି । ଏଣୁ ବୋଲବମ୍ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖାଯାଇ କିଭଳି ଶୃଙ୍ଖଳିତ ଦର୍ଶନ, ଜଳଲାଗି, ଶୃଙ୍ଖଳିତ ନୀତିକାନ୍ତି ହୋଇପାରିବ ସେନେଇ ପୁରୀ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଲୋକନାଥ ମନ୍ଦିରର ସେବକ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ବଳିଆ ପଣ୍ଡା ଥାନା ଅଧିକାରୀ ଏହି ବୈଠକରେ ସାମିଲ ହୋଇଥିଲେ। ଏଥିରେ ନିଷ୍ପତ୍ତି ମୁତାବକ ପ୍ରଭୁ ଲୋକନାଥଙ୍କ ନୀତିକାନ୍ତି ସଠିକ୍ ସମୟରେ ହେବା ଆବଶ୍ୟକ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ବ୍ୟାରିକେଡ ବ୍ୟବସ୍ଥା, ପୋଲିସ୍ ସହାୟତା କେନ୍ଦ୍ର ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଭକ୍ତଙ୍କ ପାଇଁ ଉପଲବ୍ଧ ରହିବ ।