ପୁରୀ: ଚୂଡାନ୍ତ ହୋଇଛି ପହିଲି ଭୋଗ ଓ ସୂର୍ଯ୍ୟପରାଗ ନୀତି | ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ନୀତି ସବକମିଟି ବୈଠକରେ ନିଷ୍ପତ୍ତି ନିଆଯାଛି । ସଅଳ ନୀତି ସାଙ୍ଗକୁ ସଅଳ ଅଭଡା ଯେମିତି ବାହାରିବ ସେ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି |
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ ଆସନ୍ତା 25 ତାରିଖରେ ସୂର୍ଯ୍ୟପରାଗ ପାଇଁ ରାତି 8ଟା 20ରୁ ପାକ ତ୍ୟାଗ ହେଉଥିବାରୁ ଶୀଘ୍ର କିଭଳି ନୀତି ସମ୍ପାଦନ ହେବ ସେନେଇ ମଧ୍ୟ ବୈଠକରେ ନିଷ୍ପତି ନିଆଯାଇଛି | ଆସନ୍ତା 16ରେ ପବିତ୍ର ଧନୁସଂକ୍ରାନ୍ତି | ଏହିଦିନ ଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇ ଜାନୁଆରୀ 15 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକମାସ ଧରି ଚାଲିବ | ଚୂଡାନ୍ତ ନୀତି ନିର୍ଘଣ୍ଟ ଅନୁଯାୟୀ ରାତି 3ଟାରେ ଦ୍ବାର ଫିଟା, 3ଟା 30ରେ ଭିତର ଶୋଧ, 3ଟା 45ରେ ମଙ୍ଗଳ ଆଳତୀ ଓ ରୋଷ ହୋମ, ଭୋର ସାଢେ ଚାରିଟାରେ ମଇଲମ ଓ ତଡପ ଲାଗି ହେବ ।
ଏହାସହ 5ଟାରେ ଅବକାଶ, 5ଟା 45ରେ ସୂର୍ଯ୍ୟପୂଜା, ସକାଳ 6ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ, 6ଟା 20ରୁ 6ଟା 50ମଧ୍ୟରେ ପହିଲି ଭୋଗ, ସାଢେ ସାତଟାରୁ 9ଟା ମଧ୍ୟରେ କୋଠଭୋଗ, ପରେ 9ଟା20ରୁ 10ଟା ମଧ୍ୟରେ ପୁନର୍ବାର ମଇଲମ ଓ ବେଶ ପରେ ଭୋଗମଣ୍ଡପ ଓ ଅନ୍ୟାନ୍ୟ ନୀତି ବଢ଼ି ଦିନ 2ଟାରେ ଦ୍ଵିତୀୟ ଭୋଗ ମଣ୍ଡପ ପରେ 2ଟା 30ରେ ଦିବା ପହୁଡ଼ ଓ ସାଢେ ଚାରିଟାରେ ଦ୍ବାର ଫିଟା ହୋଇ ସନ୍ଧ୍ୟା ଆଳତୀ, ମଇଲମ, ରାତି ପ୍ରାୟ 9ଟାରେ ଚନ୍ଦନ ଲାଗିପରେ ରାତି 10ଟାରେ ମହାପ୍ରଭୁଙ୍କ ବଡସିଂହାର ବେଶ କରାଯିବ । ପରେ ଅନ୍ୟାନ୍ୟ ନୀତି ବଢ଼ି ରାତି 11ଟାରେ ପହୁଡ଼ ହେବ ବୋଲି ନୀତି ସବକମିଟି ବୈଠକରେ ନିଷ୍ପତି ହୋଇଛି |
ତେବେ ଭକ୍ତଙ୍କ ଗହଳିକୁ ଲକ୍ଷ କରି ଡିସେମ୍ବର 31 ତାରିଖ ଦିନ ସଅଳ ପହୁଡ଼ ଓ ନୂଆବର୍ଷ ଦିନ ସଅଳ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ | ଆସନ୍ତା 20ରେ ବସିବାକୁ ଥିବା ପରିଚାଳନା କମିଟି ବୈଠକରେ ଏହି ନୀତି ନିର୍ଘଣ୍ଟରେ ମୋହର ବାଜିବା ବାକି ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ