ଓଡିଶା

odisha

ETV Bharat / city

ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ

ବିଶ୍ବ ଆଧୁନିକତାର ଶିଖରରେ ପହଞ୍ଚିଥିଲେ ମଧ୍ୟ ଆଜି ବି ପାରମ୍ପରିକ ରୀତିରେ ନିର୍ମାଣ ହେଉଛି ମହାପ୍ରଭୁଙ୍କର ତିନି ରଥ । ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ରଥଯାତ୍ରା ପୂର୍ବରୁ ଏହାକୁ ଶେଷ କରନ୍ତି ମହାପ୍ରଭୁଙ୍କ ମହାରଣା ସେବାୟତ । ଜାଣନ୍ତୁ ରଥ ନିର୍ମାଣର କଥା ଆଉ ଇତିହାସ...

By

Published : Jul 1, 2021, 7:05 AM IST

Making of 3 chariot, chariot for Rath yatra, history of ratha making, chariot making, ରଥଖଳାରେ ରଥ ନିର୍ମାଣ, ମହାପ୍ରଭୁଙ୍କ ରଥ ନିର୍ମାଣ, ରଥଖଳା, ରଥ ନିର୍ମାଣର କଥା ଆଉ ଇତିହାସ
ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ

ପୁରୀ: ପ୍ରତି ବର୍ଷ ନିଜ ଭକ୍ତଙ୍କୁ ଦର୍ଶନ ଦେବାକୁ ଭାଇ ଭଉଣୀଙ୍କ ସହ ରତ୍ନ ସିଂହାସନ ଛାଡ଼ି ରଥରେ ବିଜେ କରନ୍ତି କଳା ଠାକୁର। ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମୟକୁ ଚାତକ ପରି ଚାହିଁ ରହିଥାଏ ଭକ୍ତ । ଆଉ ମହାପ୍ରଭୁ ବିରାଜମାନ କରୁଥିବା ସେହି ରଥର ରହିଛି ସ୍ବତନ୍ତ୍ରତା । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରତିବର୍ଷ ନୂତନ ରଥ ନିର୍ମାଣ ହୋଇ ଥାଏ। ତେବେ ପରମ୍ପରା ଅନୁଯାୟୀ ପ୍ରତିବର୍ଷ ସମ୍ପୂର୍ଣ୍ଣ ନୂଆ କାଠରେ ରଥ ତିଆରି ହୋଇଥାଏ। ତେବେ ରଥ ନିର୍ମାଣ ନେଇ ଏ ନେଇ ମଧ୍ୟ ରହିଛି ସ୍ବତନ୍ତ୍ର ପ୍ରକ୍ରିୟା ।

ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ

ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାଠ ଚିହ୍ନଟ ପାଇଁ ରଥ ଅମିନ ଓ ଭୋଇ ସର୍ଦ୍ଦାରଙ୍କୁ ନୟାଗଡ଼ ବନ ଖଣ୍ଡ ପଠାଯାଏ । ନୟାଗଡ଼ ବଡ଼ ମୂଳର ବଡ଼ ରାଉଳ ଠାକୁରାଣୀଙ୍କ ଠାରେ ପୂଜାର୍ଚ୍ଚନା ପରେ ପ୍ରଥମେ ତିନିଟି ଧଉରା କାଠ ପୁରୀ ଆସି ଥାଏ। ଶ୍ରୀପଞ୍ଚମୀ ତିଥି ତଥା ସ୍ଵରସ୍ବତୀ ପୂଜା ଦିନ ଶ୍ରୀନହର ସମୂଖ ରଥ ଖଳାରେ ପାରମ୍ପରିକ ପୂଜାର୍ଚ୍ଚନା ଦ୍ବାରା ରଥ କାଠ ଅନୁକୁଳ ହୋଇଥାଏ । ପରେ ଶ୍ରୀରାମ ନବମୀରେ କଟକ ଖପୁରିଆରେ ଥିବା ସରକାରୀ କରତ କଳରେ ରଥ କାଠ ଚିରଟ ହୋଇଥାଏ।

ଅକ୍ଷୟ ତୃତୀୟା ଦିନ ରଥ ଖଳାରେ ତିନୋଟି ଧଉରା କାଠ ପୂଜାର୍ଚ୍ଚନା ପରେ ମହାରଣା ସେବାୟତମାନେ ସୁନା କୁରାଡ଼ି ସ୍ପର୍ଶ କରି ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରନ୍ତି। ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ରଥ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ତିନି ରଥ ଗୋଟିଏ ଅଖ ସହିତ ଦୁଇଟି ଚକ ଡେରା ନୀତି ହୋଇଥାଏ। ପରେ ପର୍ଯ୍ୟାୟ କ୍ରମେ ଶୀତଳ ଷଷ୍ଠୀ ବାସିରେ ତିନି ରଥର ଚକ ଅଖ ଡେରା ନୀତି ସମ୍ପୂର୍ଣ୍ଣ ହୋଇଥାଏ । ସେହିପରି ନୃସିଂହ ଚତୁର୍ଦ୍ଦଶୀରେ କୋଣ ଗୁଜ, ପରେ ପରେ ପାର୍ଶ୍ଵ ମୁହାଁଣ୍ଟି, ପୋଲ ଗୟଳ, ନିରାଡି, ସ୍ନାନ ପୂର୍ଣ୍ଣିମାରେ ଚାରି ନାହାକା ନିର୍ମାଣ ହୋଇଥାଏ । ଏହାପରେ ଭୂଇଁ, ପୋଟଳ, ପାରାଭାଡ଼ି, କଳସ ଆଦି ବସିବା ସହ ନେତ୍ରୋତ୍ସବ ପୂର୍ବ ଦିନ ରଥ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥାଏ। ନେତ୍ରୋତ୍ସବ ଦିନ ମହାପ୍ରଭୁଙ୍କ ଆଜ୍ଞା ମାଳ ଆସିବା ପରେ ତିନି ରଥକୁ ସିଂହଦ୍ବାର ନିକଟକୁ ନିଆଯାଇ ରଖାଯାଏ।

ତେବେ ସବୁଠୁ ବଡ଼ କଥା ହେଉଛି ରଥ ନିର୍ମାଣରେ କୌଣସି ଯନ୍ତ୍ରର ବ୍ୟବହାର ହୁଏନାହିଁ। ପାରମ୍ପରିକ ଅସ୍ତ୍ର ବାରିସୀ, ନିହଁଣ, ମୁଗୁର ଆଦିରେ ଏହି ତିନି ବିଶାଳ ରଥ ନିର୍ମାଣ ହୋଇଥାଏ। ବିଶ୍ବକର୍ମା ମହାରଣା, ଭୋଇ, ରୂପକାର, ଦରଜି, କମାର ଆଦି ପ୍ରମୁଖ ସେବକମାନେ ଏହି ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୁଅନ୍ତି। ଧଉରା, ଅସନ, ଫାଶୀ, ସାହାଯ, ସିମିଳି ଆଦି ନିର୍ଦ୍ଦିଷ୍ଟ କାଠରେ ରଥ ନିର୍ମାଣ ହୋଇଥାଏ। ଏହି କାଠ ଗୁଡିକ ନୟାଗଡ଼ ଓ ବୈଦ ବନଖଣ୍ଡ ରୁ ଆସିଥାଏ। ରଥ ନିର୍ମାଣରେ ଥିବା ସେବକମାନେ ହାବିଷ୍ୟାନ୍ନ ଗ୍ରହଣ କରି ଅକ୍ଷୟ ତୃତୀୟା ଠାରୁ ନେତ୍ରୋତ୍ସବ ଯାଏ ଦୀର୍ଘ 2 ମାସ ଧରି ରଥ ନିର୍ମାଣ କରନ୍ତି।

ଇତିହାସ ଅଵଲୋକନ କଲେ ଜଣାଯାଏ ପୂର୍ବ କାଳରେ ମହାପ୍ରଭୁଙ୍କ ପାଇଁ 6ଟି ରଥ ନିର୍ମାଣ ହେଉଥିଲା। କାରଣ ବଡ଼ ଦାଣ୍ଡ ମଝିରେ ମାଳିନୀ ନଦୀ ରହିଥିଲା। ସିଂହ ଦ୍ବାରରୁ ତିନିଟି ରଥରେ ମହାପ୍ରଭୁଙ୍କୁ ନିଆଯାଇ ମାଳିନୀ ନଦୀରେ ତିନିଟି ଡଙ୍ଗାରେ ପାର କରାଯାଉଥିଲା । ନଦୀ ସେପଟେ ଥିବା ଆଉ ତିନିଟି ରଥରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରୁଥିଲେ ଠାକୁର । ଫଳରେ ରଥଯାତ୍ରା ବହୁତ ବିଳମ୍ବିତ ହେବା ସହ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ମାତ୍ର ଗୋଟିଏରୁ ଦୁଇ ଦିନ ରହି ଶ୍ରୀମନ୍ଦିର ବାହୁଡୁ ଥିଲେ। ପରେ ରାଜା ଭାନୁଦେଵ ମାଳିନୀ ନଦୀ ପୋତିବା ପରେ ତିନି ରଥରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିର ଯାତ୍ରା କରୁଛନ୍ତି। ପୂର୍ବ କାଳରେ ବଡ଼ ଦାଣ୍ଡ କାଦୁଅ ପୂର୍ଣ୍ଣ ରହୁଥିବା ବେଳେ ବେଶି ଭକ୍ତଙ୍କ ସମାଗମ ହେଉ ନଥିଲା। ଏଣୁ ରଥ ଟାଣିବା କାର୍ଯ୍ୟ ରାଜା ମାନେ ହସ୍ତୀ ନିୟୋଜିତ କରୁଥିବା ଇତିହାସ କହିଥାଏ।

ମହାପ୍ରଭୁଙ୍କ ଲୀଳା ଯେତିକି ଅଲୌକିକ ରଥଯାତ୍ରା ମଧ୍ୟ ଇତିହାସ ମଧ୍ୟ ସେତିକି ରୋଚକ। ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆବିର୍ଭାବ ପରେ ଯେତେବେଳେ ତାଙ୍କୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା ସେତେବେଳେ ରାଣୀ ଗୁଣ୍ଡିଚା ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ ତାଙ୍କ ଜନ୍ମ ସ୍ଥାନକୁ ବର୍ଷକୁ ଥରେ ନବ ଦିନାତ୍ମକ ଯାତ୍ରାରେ ଆସିବା ପାଇଁ । ସେହି କାରଣରୁ ରାଣୀ ଗୁଣ୍ଡିଚାଙ୍କ କଥା ରଖି ମହାପ୍ରଭୁ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିର ଯାଇଥାନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details