ପୁରୀ: ଜୁନ ୨୪ରେ ଦେବସ୍ନାନ ପୂର୍ଣ୍ଣିମା ଓ ଜୁଲାଇ ୧୨ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ ରହିଛି। ତେବେ ଦେବସ୍ନାନ ପୂର୍ଣ୍ଣିମା ପାଇଁ କିଭଳି ବ୍ୟବସ୍ଥା ଗ୍ରହଣ କରାଯିବ ସେ ନେଇ ପ୍ରଶାସନିକ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରୀ ହୋଇଥିବା ଏସଓପି ଅନୁଯାୟୀ ଜୁନ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିଛି। ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପୁଣିଥରେ ବନ୍ଦ ହେବା ନେଇ ଖୁବଶୀଘ୍ର ନୂଆ ଏସଓପି ଆସିପାରେ। ସେପଟେ ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଦୃତଗତିରେ ଆଗେଇଚାଲିଛି।
କୋଭିଡ କଟକଣାରେ ହେବ ସ୍ନାନଯାତ୍ରା ଏବେ ସମସ୍ତଙ୍କ ନଜର ଦେବସ୍ନାନପୂର୍ଣ୍ଣମୀ ଉପରେ। ଜିଲ୍ଳା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇପଡିଛନ୍ତି। ତିନିରଥ ନିର୍ମାଣ ଜୋର ଧରିଛି। ତିନି ରଥର ଆବଶ୍ୟକ ୪୨ ଚକ ମଧ୍ୟରୁ ୩୯ ଟି ଚକ ନିର୍ମାଣ ଶେଷ ହୋଇଛି। ରଥର ଚେସିସ ପ୍ରସ୍ତୁତ ହୋଇଛି। ଦଣ୍ଡା ଫ୍ରେମ ହେଉଛି ରଥର ଚେସିସ । ତାଳଧ୍ବଜ ଓ ନନ୍ଦିଘୋଷ ରଥରେ ୯ଟି ଲେଖାଏଁ ଦଣ୍ଡା ଲାଗିଥିବାବେଳେ ଦେବଦଳନ ରଥରେ ୭ଟି ଦଣ୍ଡା ଲଗାଯାଇଛି। ମୁଖ୍ୟ ପାଞ୍ଚ ଦଣ୍ଡାରେ ମୁହାଁଟି ଲାଗିବା ପରେ ଆଗ ଓ ପଛ ମୁହାଁଟିରେ ପୋତାଯାଇଥିଲା ଗୁଜ ଉପରେ ନିରାଡ଼ି ଉଠିଥିଲା। ରୂପକାର ସେବକ ଗୁଜରେ ସିଂହବରାଳ ମୂର୍ତ୍ତି ଖୋଦେଇ ସାରିବା ପରେ ପଲିସ କରୁଛନ୍ତି।
ଗତକାଲି ଏସଆରସିଙ୍କ ଦ୍ଵାରା ଚଳିତବର୍ଷ ମଧ୍ୟ ପୁରୀରେ ବିନା ଭକ୍ତରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଘୋଷଣା ପରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜୁନ ୨୪ରେ ହେବାକୁ ଥିବା ଦେବସ୍ନାନପୂର୍ଣ୍ଣିମା ପାଇଁ ଆଜି ଏସପି କେ.ଵିଶାଲ ସିଂହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଓ ଦେବସ୍ନାନମଣ୍ଡପକୁ ଯାଇ ପୋଲିସ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। କୋଭିଡ କଟକଣା,କର୍ଫ୍ୟୁ ଓ ୧୪୪ ଧାରା ଜାରୀ ହୋଇ ଦେବସ୍ନାନପୂର୍ଣ୍ଣିମା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଥିବା ସାହିଗୁଡିକ ବ୍ୟାରିକେଡ଼ିଂ କରାଯିବ। କେବଳ ଜରୁରୀକାଳୀନ ସେବା ପାଇଁ ଲୋକଙ୍କୁ ଛଡ଼ାଯିବ। ଏଥିପାଇଁ ଏସଓପି ଖୁବଶୀଘ୍ର ଆସି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେବାୟତଙ୍କ ପ୍ରଥମ ପର୍ଯ୍ୟାୟ ଟୀକାକରଣ ପରେ ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଛି। ବିନା ଭକ୍ତରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ।
ଏସଆରସିଙ୍କ ଘୋଷଣା ପରେ ଗତକାଲି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଓ ରଥଖଳା ବୁଲି ପରିସ୍ଥିତି ଅନୁଧ୍ୟାନ କରିଥିଲେ। କୋରୋନା ମହାମାରୀ ଦ୍ଵିତୀୟ ଲହର ଯୋଗୁଁ ପୁରୀରେ ପ୍ରତିଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଓ ଆଗକୁ ରଥଯାତ୍ରା ଥିବାରୁ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ଆଵଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ