ପୁରୀ: ବିନା ଭକ୍ତରେ ହେଲା ମହାପ୍ରଭୁଙ୍କ ଚନ୍ଦନଯାତ୍ରା । ଦ୍ଵାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିଥିଲା । ତିନିଜଣ ପୂଜାପଣ୍ଡା ତିନି ରଥର ମୁଖ୍ୟ ବିଶ୍ବକର୍ମାଙ୍କୁ ଆଜ୍ଞାମାଳ ପ୍ରଦାନ କରିବା ପରେ ବିଶ୍ବକର୍ମା ମହାରଣା ସୁବର୍ଣ୍ଣ କୁରାଢ଼ୀ ସ୍ପର୍ଶ କରି ରଥନିର୍ମାଣ ଅନୁକୂଳ କରିଥିଲେ।
ଚନ୍ଦନ ଯାତ୍ରାରେ ସବୁବର୍ଷ ଭକ୍ତଙ୍କ ଗହଳ ଚହଳ,ହରିବୋଲ ହୁଳହୁଳି ଧ୍ବନିରେ ଫାଟିପଡେ ବଡ଼ଦାଣ୍ଡ । କିନ୍ତୁ ଦୃଶ୍ୟ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଆଜ୍ଞାମାଳ ପାଇବା ପରେ ବିନା ଭକ୍ତରେ ମଣିବିମାନ ଓ ପାଲିଙ୍କିରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ବିଜେ କରିଥିଲେ । ଏହା ପୂର୍ବରୁ ରଥନିର୍ମାଣ ନିମନ୍ତେ ଦୁଇଜଣ ଦେଉଳ ପୁରୋହିତ ଓ ୧୧ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ବନଯାଗ ପଦ୍ଧତିରେ ହୋମ କରାଯାଇଥିଲା । ବ୍ୟାରିକେଡ ମଧ୍ୟରେ ୩ ଖଣ୍ଡ ଧଉରା କାଠ ରଖାଯାଇଥିଲା । ପୂଜାପଣ୍ଡା ଆଜ୍ଞାମାଳ ବିଶ୍ବକର୍ମା ମହାରଣାଙ୍କୁ ପ୍ରଦାନ କରିବା ପରେ ଜଳ ସିଞ୍ଚନ କରାଯାଇ ସୁବର୍ଣ୍ଣ କୁରାଢ଼ୀ ଦ୍ବାରା ରଥ ଅନୁକୂଳ ହୋଇଥିଲା ।