ଓଡିଶା

odisha

ETV Bharat / city

ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ସାକ୍ଷୀଗୋପିନାଥ

ଆଜି (ଶୁକ୍ରବାର) କାର୍ତ୍ତିକ ବଡ ଏକାଦଶୀ ତିଥି ଓ ପଞ୍ଚୁକ ପ୍ରଥମ ଦିନ । ଶ୍ରଦ୍ଧାଳୁମାନେ ପ୍ରଭୁ ସାକ୍ଷୀଗୋପାଳ ଓ ମା’ ଶ୍ରୀରାଧାଙ୍କୁ ଲକ୍ଷ୍ମୀନାରାଣ ବେଶରେ ଦର୍ଶନ କରୁଛନ୍ତି । ମନ୍ଦିରରେ ବେଢାରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ପସ୍ତୁତ କରାଯାଉଛି ପ୍ରସିଦ୍ଧ ଚୂଡାଘସା ଭୋଗ । ଅଧିକ ପଢନ୍ତୁ...

ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ସାକ୍ଷୀଗୋପାଳ

By

Published : Nov 8, 2019, 5:24 PM IST

Updated : Nov 8, 2019, 5:47 PM IST

ପୁରୀ: ଆଜି (ଶୁକ୍ରବାର) କାର୍ତ୍ତିକ ବଡ ଏକାଦଶୀ ତିଥି । ରୀତିନୀତି ଅନୁଯାୟୀ ସାକ୍ଷୀଗୋପାଳଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଛି । ସକାଳ ୭ ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଛି । ପରେ ଚୁଡାଘସା ବେଢାରେ ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ନୈବେଦ୍ୟ ଲାଗି କରାଯାଉଛି । ରାତି ୧୨ ଟାରେ ମନ୍ଦିର ଚୂଡାକୁ ମହାଦୀପ ଉଠିବା ପରେ ଅନ୍ୟାନ୍ୟ ଦେବ ନୀତି କରାଯାଇ ଠାକୁରଙ୍କୁ ପହୁଡ କରାଯିବ।

ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ସାକ୍ଷୀଗୋପାଳ

ପରମ୍ପରା କ୍ରମେ ଆଖପାଖ ଗ୍ରାମର ଶତାଧିକ ସଂକୀର୍ତ୍ତନ ମଣ୍ଡଳୀ ହରିନାମ କୀର୍ତ୍ତନକରି ବେଢ଼ା ପରିକ୍ରମା କରୁଛନ୍ତି । ଅଁଳାନବମୀ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ବେଢ଼ା ଓ ସିଂହଦ୍ବାର ସମ୍ମୁଖରେ କରାଯାଇଥିବା ବ୍ୟାରିକେଡ ହଟାଇ ଦିଆଯାଇଛି । ପଞ୍ଚୁକୋଷୀ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ଗୁରୁବାର ରାତି ୨ ଟାରୁ ମନ୍ଦିର ଦ୍ବାର ଉନ୍ମୋଚନ କରାଯାଇ ଦେବନୀତି ଆରମ୍ଭ କରାଯାଇଥିଲା ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ସମସ୍ତ ଦେବନୀତି ସମ୍ପର୍ଣ୍ଣ କରାଯାଇ ଭକ୍ତଙ୍କ ନିମନ୍ତେ ମନ୍ଦିରକୁ ସାହାଣମେଲା କରାଯାଇଛି । ସିଂହଦ୍ବାର ଦେଇ ଶ୍ରଦ୍ଧାଳୁମାନେ ଗୋଟିଏ ଧାଡିରେ ମନ୍ଦିର ଭିତରକୁ ପ୍ରବେଶ କରି ଠାକୁରଙ୍କୁ ଦର୍ଶନ କରିବା ପରେ ବେଢ଼ା ପରିକ୍ରମା କରି ଅବଶିଷ୍ଟ ତିନୋଟି ଦ୍ବାରରେ ପ୍ରସ୍ଥାନ କରୁଛନ୍ତି । ଅନ୍ୟପଟେ ପଞ୍ଚସଖା ପଡିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ 4 ବ୍ୟାପି କରାଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଲିଶ୍ରୀ ମେଳାକୁ ଶୁକ୍ରବାର ବିଳମ୍ବିତ ରାତିରେ ଉଦଯାପନୀ କରାଯିବ । ଚନ୍ଦନ ପୋଖରୀ ଠାରୁ ପଞ୍ଚସଖା ପଡିଆ ପର୍ଯ୍ୟନ୍ତ ଅସ୍ଥାୟୀ ଗ୍ରାମୀଣ ବଜାର ମଧ୍ୟ ଗଢି ଉଠିଛି। ଏହି ଗ୍ରାମୀଣ ବଜାରରେ ସମସ୍ତ ଘର କରଣା ମାନ ଉପଲବ୍ଧ।


ଦେବନୀତି:
ପ୍ରଥମେ ମଙ୍ଗଳ ଆଳତି ପରେ ବେଶ ମଇଲମ, ମର୍ଦ୍ଦନ, ଅବକାଶ, ଲକ୍ଷ୍ମୀନାରାୟଣ ବେଶ, ସୁର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବଲ୍ଲଭ, ସକାଳଧୁପ, ବାଳଧୂପ, ଆଳତି କରାଯାଇ ମଦନ ମୋହନଙ୍କ ଭୋଗ ପରେ ଚୁଡାଘସା ଭୋଗ ଲାଗି କରାଯାଉଛି । ରାତି ୧୧ ଟାରେ ବେଶ ମଇଲମ, ବୀରକେଶରୀ ବଲ୍ଲଭ, ସନ୍ଧ୍ୟାଧୂପ ବେଶ, ଏକାଦଶୀ ବେଢ଼ା ଓ ଭୋଗ, ସନ୍ଧ୍ୟାଧୂପ, ବଡସିଂହାର ବେଶ କରାଯାଇ ମନ୍ଦିର ଚୂଡାରେ ମହାଦୀପ ପ୍ରଜ୍ବଳନ କରାଯିବ । ଏହାପରେ ବଡସିଂହାର ଓ ପୁଷ୍ପାଞ୍ଜଳି ନୀତି କରାଯାଇ ଠାକୁରଙ୍କୁ ପହୁଡ କରାଯିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 8, 2019, 5:47 PM IST

ABOUT THE AUTHOR

...view details