ପୁରୀ: ସର୍ବସାଧାରଣଙ୍କ ପାଇଁ ଖୋଲିଲା କାଳିଆ ସାଆନ୍ତଙ୍କ ଦ୍ବାର । ଦୀର୍ଘ 4 ମାସ ପରେ ପୁଣି ଭକ୍ତ-ଭଗବାନଙ୍କ ହେଲା ମିଳନ । ଆକୁଳ ଆଖି ଖୋଜୁଥିଲା ଟିକେ ଜଗା ଦର୍ଶନ ପାଇଁ । ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇଛି । ଶ୍ରୀମନ୍ଦିର ଖୋଲିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।
ଗତ 4 ଚାରି ମାସ ହେଲା ଭକ୍ତ-ଭଗବାନ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଥିଲା କୋରୋନା ମହାମାରୀ । କଳା ଶ୍ରୀମୁଖକୁ ଦେଖିବା ପାଇଁ ଆକୁଳ ହୋଇ ଉଠିଥିଲା ଭକ୍ତର ମନ । ଜଗା ଦର୍ଶନ ନହେଲା ନାହିଁ ଦୁଆର ବାହାରୁ ସିଂହଦ୍ବାରକୁ ମୁଣ୍ଡିଆ ମାରି ଫେରି ଯାଉଥିଲେ ଭକ୍ତ । ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି ସର୍ବସାଧାରଣଙ୍କୁ ଦର୍ଶନ ଦେଇଛନ୍ତି କାଳିଆ ସାଆନ୍ତେ ।
ପୂର୍ବରୁ ମନ୍ଦିର ସେବାୟତ ଓ ପୁରୀବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିସାରିଥିବା ବେଳେ ଆଜି ରାଜ୍ୟ ଭିତର ଓ ବାହାରର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର। କୋରୋନା କଟକଣା ମଧ୍ୟରେ ଜଗାକୁ ଦର୍ଶନ କରୁଛନ୍ତି ଭକ୍ତ । ରାଜ୍ୟ ଭିତର ତଥା ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କ ପାଇଁ ୯୬ ଘଣ୍ଟା ପୂର୍ବର RTPCR ନେଗେଟିଭ ରିପୋର୍ଟ କିମ୍ବା ଦୁଇ ପର୍ଯ୍ୟାୟ କୋଭିଡ ଟୀକାକରଣ ପ୍ରମାଣପତ୍ର ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ଭକ୍ତ।
ଏଥିପାଇଁ ଗତକାଲି ଶ୍ରୀମନ୍ଦିର ପୁନଃ ସାନିଟାଇଜ କରାଯାଇଥିଲା । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି । ଅଗ୍ନିଶମ ବାହିନୀ ପୌର ସଂସ୍ଥା ଓ ଜିଲ୍ଲା ପ୍ରଶାସନ ଦ୍ବାରା ଶ୍ରୀମନ୍ଦିରର ଚାରିଦ୍ବାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ଼ ଓ ଅନ୍ୟାନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଇଥିଲା । ଶ୍ରୀମନ୍ଦିରରେ ପ୍ରତିଦିନ ମହାପ୍ରଭୁଙ୍କ ଦୈନନ୍ଦିନ ସେବା, ପୂଜା କରୁଥିବା ସେବାୟତଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ସାନିଟାଇଜ କରାଯାଇଛି ।