ପୁରୀ: ଶ୍ରୀକ୍ଷେତ୍ରରେ ବିରାଜମାନ ହୋଇ କେଉଁ ଅନାଦି କାଳରୁ ବିଭିନ୍ନ ଲୀଳା କରୁଛନ୍ତି ନିଳାଦ୍ରିନାଥ ଶ୍ରୀଜଗନ୍ନାଥ । ମହାପ୍ରଭୁଙ୍କ ଦର୍ଶନ ତଥା ପ୍ରତିବର୍ଷ ରଥଯାତ୍ରା ସମୟରେ ହଜାର ହଜାର ଭକ୍ତଙ୍କ ଆଗମନ ହୁଏ ଶ୍ରୀକ୍ଷେତ୍ର ପୁରୀକୁ । ତେବେ ଏମିତି ବି ଦିନ ଥିଲା ଯେତେବେଳେ ମହାପ୍ରଭୁ ତାଙ୍କ ରତ୍ନ ସିଂହାସନରେ ଅବସ୍ଥାନ କରି ନଥିଲେ । ଜଗନ୍ନାଥ ସଂକୃତିକୁ ବିଲୋପ କରିବା ସହ ରତ୍ନ ଭଣ୍ଡାର ଲୁଟ କରିବା ଉଦ୍ଦେଶ୍ୟରେ ଏକାଧିକ ଥର ଯବନ ମାନେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ ।
ଫଳରେ ଶ୍ରୀଜୀଉଙ୍କ ଶ୍ରୀବିଗ୍ରହକୁ ସୁରକ୍ଷିତ ରଖିବା ଶ୍ରୀମନ୍ଦିରରୁ ବିଭିନ୍ନ ସମୟରେ ଭିନ୍ନ ଭନ୍ନ ସ୍ଥାନକୁ ଚତୁର୍ଦ୍ଧାମୂର୍ତ୍ତି ହୋଇଥିଲେ ସ୍ଥାନାନ୍ତର । ସେବାୟତ ମାନେ ଶଗଡିରେ ଦାରୁ ବିଗ୍ରହଙ୍କୁ ନେଇ ଓଡି଼ଶାର ବିଭିନ୍ନ ସ୍ଥାନରେ ରଖି ଗୁପ୍ତରେ ପୂଜାର୍ଚ୍ଚନା କରିଥିଲେ। ଫଳରେ ବର୍ଷ ବର୍ଷ ଧରି ଖାଲି ପଡ଼ିଥିଲା ରତ୍ନସିଂହାସନ । ମହାପ୍ରଭୁଙ୍କୁ ଅନେକ ଥର ଚିଲିକା ମୁହାଣର ବିଭିନ୍ନ ସ୍ଥାନରେ ଲୁକ୍କାୟିତ ଭାବେ ରଖାଯାଇ ପୂଜାର୍ଚ୍ଚନା ହେଉଥିବା କୁହନ୍ତି ସେବାୟତ ।
ଚିଲିକା ମୁହାଣ ସହ ଗଞ୍ଜାମର ମାରଦା, ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର, ଚିଲିକା ମୁହାଣ ଅଞ୍ଚଳର ଗଡ଼ କୋକଳ, କାଙ୍କଣ ଶିଖରୀ, ଗୁରୁବାଇ, ବାଣପୁର, ଚକାନାସି, ବଉଳ ବନ୍ଧ, ଆଦି ସ୍ଥାନ ଗୁଡିକରେ ମହାପ୍ରଭୁଙ୍କର ହୋଇଥିଲା ଅଜ୍ଞାତ ବାସ ବା ଗୁପ୍ତବାସ । ଇତିହାସରୁ ଜଣାଯାଏ ଯେ ଶ୍ରୀମନ୍ଦିର ଉପରେ ଅନେକ ଥର ଆକ୍ରମଣ ହୋଇଛି ହେଲେ ଏହାର ସଠିକ ତଥ୍ୟ ନାହିଁ । 1568ରେ କଳା ପାହାଡ଼, 1731ରେ ତକି ଖାଁ ସମେତ ଅକ୍ରମ ଖାଁ ଆଦି ଅନେକ ଯବନ ଶ୍ରୀମନ୍ଦିରରେ ଥିବା ଅମାପ ଧନ ସମ୍ପତ୍ତି ଲୁଣ୍ଠନ ନେଇ ଆକ୍ରମଣ କରିଥିଲେ । ପ୍ରାୟ 250 ବର୍ଷରୁ ଅଧିକ ସମୟ ମହାପ୍ରଭୁ ଶ୍ରୀକ୍ଷେତ୍ର ବାହାରେ କରିଛନ୍ତି ଗୁପ୍ତ ଲୀଳା ।
ଗଞ୍ଜାମ ଜିଲ୍ଲାର ମାରଦା ଗ୍ରାମରେ ଥିବା ମନ୍ଦିରେ 28 ମସା ନିଜର ଗୁପ୍ତ ଲୀଳା କରିଥିଲେ ମହାପ୍ରଭୁ । ମଥୁରାର 46 ଜଣ କାରିଗର ମାତ୍ର 2 ମାସ ସମୟ ମଧ୍ୟରେ ଜଗମୋହନ ଓ ବିମାନ ସହ ଦୁଇଥାକିଆ ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିରରେ ଠାକୁରଙ୍କ ପାଇଁ ତିନୋଟି ବେଦୀ ନିର୍ମାଣ କରଯାଇ ଠାକୁରଙ୍କୁ ଅଧିଷ୍ଠିତ କରାଯାଇଥିଲା । ତତ୍କାଳୀନ ପୁରୀ ରାଜା ଗଜପତି ରାମଚନ୍ଦ୍ର ଦେବ ପୁରୀରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୁପ୍ତଭାବେ ମାରଦା ସ୍ଥାନାନ୍ତର କରିଥିଲେ । ମନ୍ଦିରରେ ଠାକୁରଙ୍କ ସୁରକ୍ଷା ପାଇଁ ଆଠଗଡ଼ର ପ୍ରାୟ 300 ସୈନିକ ଦିନ ରାତି ସୁରକ୍ଷା ଦେଉଥିଲେ ବୋଲି କୁହାଯାଏ ।