ଓଡିଶା

odisha

By

Published : Jun 20, 2022, 7:03 AM IST

ETV Bharat / city

ତିନି ରଥ ରହସ୍ୟ, ଚର୍ଚ୍ଚିକା ମା’ଙ୍କ ମାଜଣା ପରେ ହୁଏ ରଥକାମ

ନୀତିକାନ୍ତି, ସ୍ବତନ୍ତ୍ର ଉପଚାରରେ ବିତେ ଶ୍ରୀମନ୍ଦିରର ଦିନ ଚର୍ଯ୍ୟା । ଅବଢା ଅନ୍ନ ପ୍ରସ୍ତୁତି ହେଉ କିମ୍ବା ରଥ ତିଆରି, ସବୁଥିରେ ଲୁଚିରହିଛି ଗୁଢ ତତ୍ତ୍ବ । ଅକ୍ଷୟ ତୃତୀୟା ଠାରୁ ରଥକାର୍ଯ୍ୟ ଆରମ୍ଭ ହେଉ ଥିବାବେଳେ ରଥ ପାଇଁ ପ୍ରତିଟି ଅନୁକୂଳ ମା ଚର୍ଚ୍ଚିକାଙ୍କ ନିକଟରେ କରାଯାଏ । ଜାଣନ୍ତୁ ଆଉ କେଉଁ କେଉଁ ରହସ୍ୟ ରହିଛି ରଥ ପ୍ରସ୍ତୁତିରେ ।

ତିନି ରଥ ରହସ୍ୟ, ଚର୍ଚ୍ଚିକା ମାଙ୍କ ମାଜଣା ପରେ ହୁଏ ରଥକାମ
ତିନି ରଥ ରହସ୍ୟ, ଚର୍ଚ୍ଚିକା ମାଙ୍କ ମାଜଣା ପରେ ହୁଏ ରଥକାମ

ପୁରୀ: ନୀତିକାନ୍ତି, ସ୍ବତନ୍ତ୍ର ଉପଚାରରେ ବିତେ ଶ୍ରୀମନ୍ଦିରର ଦିନ ଚର୍ଯ୍ୟା । ଅବଢା ଅନ୍ନ ପ୍ରସ୍ତୁତି ହେଉ କିମ୍ବା ରଥ ତିଆରି, ସବୁଥିରେ ଲୁଚିରହିଛି ଗୁଢ ତତ୍ତ୍ବ । ତିନି ଠାକୁରଙ୍କ ତିନି ରଥର ନାମ ଯେମିତି ଭିନ୍ନ ଭିନ୍ନ, ସେମିତି ରଥ ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟ ଭିନ୍ନ ଭିନ୍ନ । ଆଉ ରଥରେ ବ୍ୟବହାର ହେଉଥିବା ସାମଗ୍ରୀରେ ମଧ୍ୟ ରହିଛି ସ୍ବତନ୍ତ୍ରତା । ଅକ୍ଷୟ ତୃତୀୟା ଠାରୁ ରଥକାର୍ଯ୍ୟ ଆରମ୍ଭ ହେଉଥିବାବେଳେ ରଥ ପାଇଁ ପ୍ରତିଟି ଅନୁକୂଳ ମା’ ଚର୍ଚ୍ଚିକାଙ୍କ ନିକଟରେ କରାଯାଏ । ମା’ ଚର୍ଚ୍ଚିକାଙ୍କୁ ମହାପ୍ରସାଦ ଅର୍ପଣ ଏବଂ ମାଜଣା କରାଯିବା ପରେ ରଥକାର୍ଯ୍ୟ ଆରମ୍ଭ ହୁଏ ।

ତିନି ରଥ ରହସ୍ୟ, ଚର୍ଚ୍ଚିକା ମାଙ୍କ ମାଜଣା ପରେ ହୁଏ ରଥକାମ

ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ

ଶ୍ରୀ ବଳଭଦ୍ରଙ୍କ ରଥର ଉଚ୍ଚତା ବତିଶି ହାତ ଓ ଦଶ ଆଙ୍ଗୁଳି । 763 ଖଣ୍ଡ କାଠରେ ନିର୍ମିତ ହୁଏ ଏହି ରଥ । ରଥରେ ସବୁଜ ଓ ଲାଲ୍‌ ରଙ୍ଗର କନା ମଣ୍ଡନ କରାଯାଏ । ତାଳ ଧ୍ବଜ ରଥର ଚକ ସଂଖା 14 । ଏହି ରଥର ସାରଥୀ ହେଉଛନ୍ତି ମାତଳୀ ଏବଂ ରଥର ରକ୍ଷକ ଭାବେ ଭାସ୍କର ଓ ବାସୁଦେବ ବିରାଜମାନ । ଏହି ରଥରେ ଶଙ୍ଖ ସୁଚିତ ଅଙ୍ଗଦ ଓ ମେଘନାଦ ନାମରେ ଚାରୋଟି କୃଷ୍ଣ ବା କଳା ରଙ୍ଗର ଅଶ୍ବ ଯୋଚା ହୁଏ । ଏହି ରଥର ପାର୍ଶ୍ବଦେବତା ହେଲେ ପ୍ରଳମ୍ବାରୀ, ମହାଦେବ, ଗଣେଶ, ବାଇଶଭୂଜ, ନୃସିଂହ, ବଳରାମ, ନଟବର, ଅଙ୍ଗଦ, ବସୁଦେବ, ନାଟାମ୍ବର, ମଧୁକୈଟଭ, କାର୍ତ୍ତିକେଶ୍ବର ଓ ଷଡ଼ାନନ । ରଥର ଧ୍ବଜର ନାମ ହେଉଛି ‘ଉନ୍ନନି’ ଏବଂ ରଥର ଦେବତା ରୂପେ ବ୍ରହ୍ମା ଓ ମହେଶ୍ବର ବିରାଜମାନ ରହିଥାନ୍ତି । ରଥର ଓଲଟ ଶୁଆର ନାମ ଶ୍ରଦ୍ଧା ଓ ବିଶ୍ବାସ । ରଥର ଅଧିଶ୍ବରୀ ଦେବୀ ବନଦୁର୍ଗାଙ୍କୁ ସ୍ଥାପନ କରାଯାଇଥିବା ବେଳେ ରଥର ଶିଖର ଦେଶରେ ଅନନ୍ତ ନାଗ ବିରାଜମାନ କରିଛନ୍ତି । ଏହି ରଥରେ ବାସୁକି ନାମକ ଦଉଡ଼ିକୁ ବ୍ୟବହାର କରାଯାଏ ।

ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ

ଶ୍ରୀଜଗନ୍ନାଥଙ୍କ ରଥର ଉଚ୍ଚତା 33 ହାତ ଓ ପାଞ୍ଚ ଆଙ୍ଗୁଳି ଅଟେ । 16 କଳାର ପ୍ରତୀକ ଭାବରେ ଏହି ରଥରେ ରହିଥାଏ 16ଟି ଚକ । ଅଗ୍ରଭାଗରେ ଚକ୍ର ଓ ଗରୁଡ଼ ରହୁଥିବାରୁ ଏହା ଚକ୍ରଧ୍ବଜ ବା ଗରୁଡ଼ଧ୍ବଜ ନାମରେ ପରିଚିତ । ଏହି ରଥର ରକ୍ଷକ ନୃସିଂହ ଓ ସାରଥୀ ମାତଳି । ଶଙ୍ଖ, ବଳାତକ, ଶ୍ବେତ ଓ ହରିଦାସ ନାମରେ ଚାରିଗୋଟି ଅଶ୍ବ ନନ୍ଦିଘୋଷ ରଥରେ ବନ୍ଧା ହୁଅନ୍ତି । ଏହି ରଥକୁ ହଳଦିଆ ଓ ଲାଲ୍‌ କନାରେ ମଣ୍ଡାଣି କରାଯାଏ । ରଥର ନେତ ନାମ ହେଉଛି ‘ତ୍ରୈଲୋକ୍ୟମୋହିନୀ । ଏହି ରଥର ପାର୍ଶ୍ବ ଦେବତା ହେଲେ ପଞ୍ଚମୁଖୀ ମହାବୀର, ମଧୁସୂଦନ, ଲକ୍ଷ୍ମଣ, ଚିନ୍ତାମଣି କୃଷ୍ଣ, ରାବଣ ଛତ୍ରଭଙ୍ଗ, ହରିହର, ପଣ୍ଠୁନୃସିଂହ ଓ ଗିରିଗୋବର୍ଦ୍ଧନ । ଏହି ରଥରେ ଶଙ୍ଖଚୂଡ଼ା ନାମକ ଚାରିଗୋଟି ଦଉଡ଼ି ଲାଗୁଥିବା ବେଳେ ଜୟବିଜୟ ଏହାର ଦ୍ବାରପାଳ ଦାୟିତ୍ବ ନିର୍ବାହ କରନ୍ତି । ରଥାଧିଶ୍ବରଭାବେ ଶ୍ରୀଜଗନ୍ନାଥ ଓ ମଦନମୋଦନ ବିରାଜମାନ କରିଥାନ୍ତି । ଏହି ରଥର ଚକ୍ରର ନାମ ହେଲା ବିଷ୍ଣୁସିଦ୍ଧ, ବିଦ୍ଭୁତ, ଅଣିମା, ପ୍ରଦଧା, ଧୂ, ଜ୍ଞାନ, ପ୍ରେମ, ଆସକ୍ତ, ରତି, କେଳି, ସତ୍ୟ, ସୁସ୍ବସ୍ତି, ଜାଗୃତି. ତୁରୀୟ, ଆମ ଏବଂ ନିର୍ବାଣ ।

ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ

ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଉଚ୍ଚତା 31 ହାତ ଓ ଏହା 593 ଖଣ୍ଡ କାଠରେ ନିର୍ମିତ । ଏହି ରଥରେ ଦ୍ବାଦଶ ଯୋଗ ବା ଦ୍ବାଦଶ ଦିବାକରଙ୍କ ପ୍ରତୀକଭାବେ 12ଟି ଚକ ରହିଥାଏ । କୃଷ୍ଣ ବସ୍ତ୍ର ଓ ନାଲି ବସ୍ତ୍ରାବୃତ । ଦେବୀ ସୁଭଦ୍ରାଙ୍କ ରଥର ରକ୍ଷକ ଜୟଦୁର୍ଗା ଓ ସାରଥୀ ଅର୍ଜୁନ ଅଟନ୍ତି । ରୋଚିକା, ମୋଚିକା, ଜିତା ଓ ଅପରାଜିତା ନାମରେ ଚାରିଟି ଅଶ୍ବ ଦର୍ପଦଳନ ରଥରେ ବନ୍ଧା ହୁଅନ୍ତି । ଏହି ରଥର ପାଶ୍ବଦେବୀ ହେଉଛନ୍ତି ବିମଳା, ଚାମୁଣ୍ଡା, ଭଦ୍ରକାଳୀ, ଉମା, ହରଚଣ୍ଡୀ, ରାମଚଣ୍ଡୀ, ମଙ୍ଗଳା, ବରାହୀ, କାତ୍ୟାୟିନୀ ଓ ଅଘୋରା । ଏହି ରଥର ରକ୍ଷୟତ୍ରୀ ରୂପେ ଉଗ୍ରଚଣ୍ଡୀ ବିଜେ ହୋଇଥାନ୍ତି । ରଥର ଅଧିଶ୍ବରୀ ଦେବୀରୂପେ ହଳଦୀ ମୁହିଁ ଦେବୀ ସୁଭଦ୍ରା ବିଦ୍ୟାମାନ ହୁଅନ୍ତି । ଏହି ରଥରେ ସ୍ବର୍ଣ୍ଣଚୂଡ଼ା ନାମରେ ଚାରିଗୋଟି ଦଉଡ଼ି ଲଗାହୁଏ । ରଥରେ ଶୋଭାପାଉଥିବା ଦୁଇଟି ଓଲଟ ଶୁଆଙ୍କ ନାମ ସୁପର୍ଣ୍ଣ ଓ ଦ୍ବାସୁପର୍ଣ୍ଣ ଅଟେ । ରଥର ଦେବୀ ରୂପେ ଶ୍ରୀ ଦେବୀ ଓ ଭୂ ଦେବୀ ବିଜେ ହୋଇଥାନ୍ତି ।

ପ୍ରତିବର୍ଷ ମହାପ୍ରଭୁଙ୍କ ନୂତନ ରଥ ନିର୍ମାଣ ହେଉଥିବା ବେଳେ ତିନି ରଥରେ ଥିବା ସାରଥୀ, ଘୋଡ଼ା, ପାର୍ଶ୍ଵ ଦେବତା, ଓଲଟ ଶୁଆ ପ୍ରଭୃତିଙ୍କୁ କେବଳ ରଙ୍ଗ ଓ ମରାମତି ହୁଏ । ଦାରୁବ୍ରହ୍ମଙ୍କ ନବକଳେବର ହେଲେ ପୁରାତନ ବିଗ୍ରହଙ୍କ ସମେତ ଏମାନଙ୍କୁ ମଧ୍ୟ ପାତାଳି କରାଯାଏ । ତିନି ରଥରେ 12 ଟି ଲେଖାଏଁ 36 ଟି ସଖୀ, 11 ଟି ଲେଖାଏଁ 33 ଟି ପାର୍ଶ୍ବ ଦେବାଦେବୀ ଓ 6 ଟି ଓଲଟ ଶୁଆ ଲାଗିଥାଏ ।

ତେବେ ବଡ଼ କଥା ହେଉଛି ଏହି ତିନି ରଥ ନିର୍ମାଣରେ କୌଣସି ଫିତା ମାପ କି ଫୁଟ ଇଞ୍ଚ ବ୍ୟବହାର ହୁଏ ନାହିଁ। ବିଶ୍ଵକର୍ମା ମହାରଣା ସେବକମାନେ ଶହ ଶହ ବର୍ଷ ଧରି ହାତ ଆଙ୍ଗୁଳି ମାପ ଦ୍ବାରା ଏହି ରଥ ନିର୍ମାଣ କରନ୍ତି । ବିଶ୍ବକର୍ମା ମହାରଣା ସେବକ କୁହନ୍ତି ମହାପ୍ରଭୁ ନିଜେ ତାଙ୍କ କାର୍ଯ୍ୟ କରି ଆସୁଛନ୍ତି ସେମାନେ ନିମିତ୍ତ ମାତ୍ର ।

ଦେବୀ ଚର୍ଚ୍ଚିକା ହେଉଛନ୍ତି ରଥ ନିର୍ମାଣର ଇଷ୍ଟ ଦେବୀ । ଶ୍ରୀନହର ସମ୍ମୁଖରେ ଦେବୀ ଚର୍ଚ୍ଚିକା ବିରାଜିତ । ତେଣୁ ଏହି ସ୍ଥାନରେ ରଥ ଖଳା କରାଯାଇ ରଥ ନିର୍ମାତା ବିଶ୍ବକର୍ମା ଓ ସହଯୋଗୀ ମହାରଣାମାନଙ୍କ ଦ୍ବାରା ରଥ ନିର୍ମାଣ କାର୍ଯ୍ୟ ହୁଏ । ଦେବୀ ଚର୍ଚ୍ଚିକାଙ୍କ କରୁଣାରୁ ଶାସ୍ତ୍ରୀୟ ବିଧିରେ ରଥ ନିର୍ମାଣ ସୁରୁଖୁରୁରେ ସମ୍ପନ୍ନ ହୋଇଥାଏ ବୋଲି ବିଶ୍ବାସ ରହିଛି ।

କାଠରେ ନିର୍ମିତ ଏହି ରଥରେ ଯେବେ ତିନି ଠାକୁରଙ୍କ ବିରାଜମାନ ହୁଏ ସେତେବେଳେ ପୂଣ୍ୟତୀର୍ଥ ପାଲଟିଯାଏ । ଆଉ ରଥାରୂଢ ଜଗନ୍ନାଥଙ୍କୁ ଦର୍ଶନ କଲେ କୋଟି ପାପ-ତାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details