ପୁରୀ: ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଭଳି ବିଚିତ୍ର ଲୀଳା ପରେ ରତ୍ନବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ଏହି ନୀତି ହୁଏ ଅନୁଷ୍ଠିତ । ସେପଟେ ରଥଯାତ୍ରାରେ ସାଥିରେ ନେଇନଥିବାରୁ ଅଭିମାନିନୀ ଲକ୍ଷ୍ମୀ ସାଆନ୍ତାଣୀ କାଳିଆ ସାଆନ୍ତେଙ୍କ ବାଟ ଓଗାଳନ୍ତି । ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରି ରତ୍ନବେଦୀକୁ ବିଜେ କରନ୍ତି ମହାପ୍ରଭୁ ।
ପରମ୍ପରା ଅନୁଯାୟୀ, ସନ୍ଧ୍ୟା ଧୂପ, ଚାରମାଳ ବନ୍ଧାହେବା ପରେ ଭକ୍ତଙ୍କୁ କିଛି ସମୟ ଦର୍ଶନ ଦେଇ ଶ୍ରୀମନ୍ଦିରକୁ ବିଜେ କରନ୍ତି ଚତୁର୍ଦ୍ଧାମୂର୍ତ୍ତି । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣୀ ଘରକୁ ବିଜେ କରାଇଥାନ୍ତି । ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି । ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରାଯାଏ ।
ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରିବା ପରେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥାନ୍ତି । ଉଭୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟ ହୋଇଥାନ୍ତି । ଏହାପରେ ଲକ୍ଷ୍ମୀଙ୍କ ତରଫରୁ ଭିତରଚ୍ଛ ବନ୍ଦାପନା ନୀତି ବଢାଇଥାନ୍ତି । ଏହି ସମୟରେ ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ଵାର ନିକଟରେ ପହଞ୍ଚିବା ସମୟରେ ସାମୟିକ ଭାବେ ଦ୍ଵାର ବନ୍ଦ ରହିଥାଏ ଓ କିଛି କ୍ଷଣ ପରେ ଦ୍ଵାର ଖୋଲିଯାଏ । ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀଙ୍କ ମଧ୍ୟରେ ବଚନିକା ହୋଇଥାଏ । ମହାପ୍ରଭୁ ଜନ୍ମବେଦୀକୁ କେବଳ ଭାଇ ଓ ଭଉଣୀଙ୍କୁ ନେଇ ରଥଯାତ୍ରାରେ ଯାଇଥିବାରୁ ମା' ଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କ ଉପରେ ଅଭିମାନ କରିଥାନ୍ତି ।