ପୁରୀ: ଲୀଳାମୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ରହସ୍ୟରେ ଘେରା । ଶ୍ରୀମନ୍ଦିର ଇତିହାସ, କିମ୍ବଦନ୍ତୀର ପଟାନ୍ତର ନାହିଁ । ମନ୍ଦିରକୁ ଘେରି ରହିଛି ଅନେକ ଗୁଢ ତତ୍ତ୍ବ । ଏଠାରେ ଥିବା ପାଣି, ପବନ, ବୃକ୍ଷଲତା ମହାପ୍ରଭୁଙ୍କ ଜୟ ଜୟ ଗାନ କରନ୍ତି । କୁହାଯାଏ ଯେ, ଶ୍ରୀମନ୍ଦିରର ପତ୍ର, ପଥରରେ ବି ଦେବତା ବିରାଜମାନ କରିଛନ୍ତି । ଏହାର ପ୍ରମାଣ କଳ୍ପବଟ ବୃକ୍ଷ । କାରଣ କଳ୍ପବଟର ମୂଳରେ ବ୍ରହ୍ମା, ମଧ୍ୟରେ ରୁଦ୍ର ଏବଂ ପତ୍ରେ ପତ୍ରେ ସ୍ବତନ୍ତ୍ର ଭାବେ ଦେବତା ବିରାଜିତ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତ ।
ସୃଷ୍ଟିର ଆଦି, ଅନ୍ତରେ ବି ଏ ବୃକ୍ଷର ବିଲୋପ ନାହିଁ । ବିଚିତ୍ରଧାମ ପୁରୁଷୋତ୍ତମ କ୍ଷେତ୍ରରେ ଏ ଦ୍ରୁମ ରହସ୍ୟମୟ, ମୁକ୍ତିମୟ, ସର୍ବ ବୃକ୍ଷଙ୍କ ମଧ୍ୟରେ ଗରିଷ୍ଠ । ତେବେ ଆସନ୍ତୁ ଜାଣିବା କଣ ରହିଛି କଳ୍ପବଟର ମହାତ୍ମ୍ୟ, କାହିଁକି ଭକ୍ତଗଣ ଏ ବୃକ୍ଷର ପୂଜାର୍ଚ୍ଚନା କରିଥାନ୍ତି...
କୁହାଯାଏ ଯେ, ସାଗର ମନ୍ଥନରୁ କଳ୍ପବଟର ଆବିର୍ଭାବ । ପ୍ରଳୟ ସମୟରେ ଏ ବୃକ୍ଷ ମାର୍କଣ୍ଡ ଋଷିଙ୍କୁ ଆଶ୍ରୟ ଦେଇଥିଲା । ମାର୍କଣ୍ଡ ଋଷି ବଟବୃକ୍ଷର ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିରାଜମାନ କ୍ଷେତ୍ରରେ ପ୍ରଥମ ଦାୟିତ୍ବ ନିର୍ବାହ କରିଥିଲେ । ତେଣୁ କଳ୍ପବଟକୁ ଦେବ ବୃକ୍ଷ ବୋଲି ମଧ୍ୟ କୁହାଯାଏ । ଅତିବଡି ଜଗନ୍ନାଥ ଦାସ ଏହି ବୃକ୍ଷ ମୂଳରୁ ଭାଗବତର ଓଡିଆ ଅନୁବାଦ କରିଥିଲେ । ଦ୍ବାପର ଯୁଗରେ ଶ୍ରୀକୃଷ୍ଣ ଭଗବାନ ସତ୍ୟଭାମାଙ୍କ ପ୍ରିତି ଅର୍ଥେ କଳ୍ପବଟକୁ ସ୍ବର୍ଗ ଲୋକରୁ ମର୍ତ୍ତ୍ୟଲୋକକୁ ଆଣିଥିବା ପୁରାଣରେ ବର୍ଣ୍ଣିତ ।