ପୁରୀ: କଳାଶ୍ରୀମୁଖରେ ଶୂନ୍ୟ ଅନ୍ତରୀକ୍ଷରେ ଚନ୍ଦ୍ରସୂର୍ଯ୍ୟ ତୁଲ୍ୟ ବର୍ତ୍ତୁଳାକାର ଆଖି ଦୁଇଟି ଝଟିକି ଉଠେ । ଆଉ ସେ ଆଖି ଦୁଇଟି ସାରା ଜଗତକୁ ଅନାଇ ରହିଛି । ଆଉ ସାରା ଜଗତର ଆଖି ଲାଖିଯାଉଛି କାଳିଆ ସାଆନ୍ତଙ୍କ ଆଖିକୁ ଦେଖି । ସେଇ ନେତ୍ର ପାଇଁ ତ ଅଣସର ପରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କ ନେତ୍ରୋତ୍ସବ । ସ୍ନାନଯାତ୍ରାରେ ଅତ୍ୟଧିକ ସ୍ନାନ ପରେ ଜ୍ବରରେ ପଡ଼ି ଅଣସର ଘରେ ରୁହନ୍ତି ତିନି ଠାକୁର । ତେବେ ଜ୍ବରରୁ ସୁସ୍ଥ ହେବା ପରେ ନବଯୌବନ ଦର୍ଶନ ସହ ନେତ୍ରୋତ୍ସବ ହୋଇଥାଏ ।
ଠାକୁରମାନଙ୍କୁ ଅର୍ଦ୍ଧ-ସମାନ୍ତର ସ୍ଥିତିରେ ରଖାଯାଇ ସେମାନଙ୍କୁ ଉପଯୁକ୍ତ ଭାବେ ଚିତ୍ରିତ କରାଯାଏ । ଏହି ସେବା ସରିବାପରେ ନେତ୍ରୋନ୍ମୀଲନ ନୀତି ପାଳିତ ହୁଏ । ଏଥିରେ ପ୍ରତ୍ୟେକ ଠାକୁରଙ୍କ ଉଭୟ ଚକ୍ଷୁରେ ତୁଳସୀ ପତ୍ର ସାହାଯ୍ୟରେ ଔଷଧୀ ପ୍ରୟୋଗ କରାଯାଇଥାଏ । ଏତଦପରେ କଜ୍ୱଳ ଲାଗି କରାଯାଏ । ଶ୍ରୀମନ୍ଦିରର ଦତ୍ତ ମହାପାତ୍ର ସେବକମାନେ ନେତ୍ରୋତ୍ସବ ସାମଗ୍ରୀ ଆଣି ପାରମ୍ପରିକ ଦ୍ରବ୍ୟରେ ପ୍ରସ୍ତୁତ ରଙ୍ଗରେ ମହାପ୍ରଭୁଙ୍କ ନେତ୍ରକୁ ଚିତ୍ରଣ କରନ୍ତି । ଏହି ନେତ୍ର ଅଙ୍କନର ଏକ ସ୍ବତନ୍ତ୍ର ମନ୍ତ୍ର ରହିଛି । ନୀଳାଦ୍ରି ମହୋଦୟ ଅନୁସାରେ ନାନା ବାଦ୍ୟ ଧ୍ବନି ମଧ୍ୟରେ ପୂଜକ ଠାକୁରଙ୍କ ନିକଟକୁ ଯାଇ ‘ତଚ୍ଚକ୍ଷୁ’ ମନ୍ତ୍ରରେ ସେମାନଙ୍କ ନେତ୍ରପଦ୍ମରେ ଦୁଇଟି ନେତ୍ର ଅଙ୍କନ କରନ୍ତି ।
ତଚ୍ଚକ୍ଷୁ ମନ୍ତ୍ର ହେଉଛି ଯଜୁର୍ବେଦର ଏକ ମନ୍ତ୍ର । ଏହାର ତାତ୍ପର୍ଯ୍ୟ ହେଉଛି ‘‘ହେ ପ୍ରଭୁ! ଆପଣଙ୍କର ଚକ୍ଷୁ ହେଉଛି ଶୁଦ୍ଧ ସୂର୍ଯ୍ୟମଣ୍ଡଳ ସ୍ବରୂପ, ନିତ୍ୟଚକ୍ଷୁ । ଏହି ନେତ୍ର ଦେବତାମାନଙ୍କର ହିତକାରୀ । ଆପଣଙ୍କ କୃପାରୁ ସେହି ନିତ୍ୟଚକ୍ଷୁର ଆଲୋକ ଦ୍ବାରା ଆମେ ଶହେ ବର୍ଷ ଦେଖିବା ପାଇଁ ସକ୍ଷମ ହେଉ ।’’