ନିଆଳି : ଟଙ୍କା ପାଇଁ ଫିଲ୍ମ ଷ୍ଟାଇଲରେ ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ । ଦେଢ଼ ଲକ୍ଷ ଟଙ୍କା ଦାବି କରି ଯୁବକକୁ ଅପହରଣ କରିଥିଲେ । ପୁରୀ ଜିଲ୍ଲା ନିମାପଡ଼ା ଜୟଶ୍ରୀ ଛକ ଠାରୁ ସକାଳ ସାଢ଼େ ଦଶଟାରେ ବାଇକରେ ଯୁବକକୁ ଅପହରଣ କରିଥିଲେ ଅପହରଣକାରୀ । ଯୁବକର ମୁଣ୍ଡ ଜାମିନ ରଖି ପରିବାରକୁ ଦେଢ଼ ଲକ୍ଷ ଟଙ୍କା ଦାବି କରିବା ପରେ ପରିବାର ପକ୍ଷରୁ ନିମାପଡା ଥାନାରେ ଅଭିଯୋଗ ହୋଇଥିଲା ।
ଅଭିଯୋଗ ପାଇବା ପରେ ନିମାପଡ଼ା ପୋଲିସ ତ୍ବରିତ ପଦକ୍ଷେପ ନେଇ ଅପହୃତ ଯୁବକକୁ କୋଣାର୍କସ୍ଥିତ ଆମ୍ବୁଳି ଗାଁ ଏକ ବାତ୍ୟା ଆଶ୍ରୟସ୍ଥଳୀରୁ ଉଦ୍ଧାର କରିଥିଲା । ଅଭିଯୋଗ ଅନୁସାରେ ଅପହୃତ ଯୁବକ ମନୋଜ କୁମାର ମହାରଣା ଓ ଅପହରଣକାରୀ ଯୁବକ ଟ୍ରାନ୍ସପୋର୍ଟ ବ୍ୟବସାୟ କରୁଥିବାବେଳେ କିଛି ଟଙ୍କାକୁ ନେଇ ଏମାନଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା ।