ପୁରୀ:ଆଜି ପବିତ୍ର ଜନ୍ମାଷ୍ଟମୀ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହେବ । ଜନ୍ମନୀତି ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା 7ଟାରୁ ରାତି 11ଟା ପର୍ଯ୍ୟନ୍ତ 4 ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏ ନେଇ ଶ୍ରୀନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଜନ୍ମାଷ୍ଟମୀ ନୀତି ପୂର୍ବରୁ ମହାପ୍ରଭୁଙ୍କୁ ଯେଉଟ ଭୋଗ ଲାଗିହେବା ସହ ଗର୍ଭଉଦକ ବନ୍ଦାପନା ନୀତି ସମ୍ପନ୍ନ ହୋଇଛି । ଗର୍ଭଯନ୍ତ୍ରଣାରୁ ଉପଶମ ପାଇଁ ଠାକୁରଙ୍କୁ ଏହି ବିଶେଷ ଭୋଗ ଲାଗି କରାଯାଏ । ଏଥିସହ ଠାକୁରଙ୍କ ଗର୍ଭଉଦକ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥାଏ । ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ । ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା କରିଥିଲେ । ରାତିରେ ଜେଉଟ ଭୋଗ ଲାଗି ନୀତି ସମ୍ପନ୍ନ ହୋଇଥିଲା । ୩ ବାଡ଼ରେ ବନ୍ଦାପନା ପରେ ମହାପ୍ରଭୁଙ୍କ ବାଡ଼ରେ ଅଧିକ ଥରେ ବନ୍ଦାପନା ହୋଇଥିଲା । ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ । ଏହାପରେ ଯଥାବିଧ ଠାକୁରଙ୍କ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥିଲା ।