ପୁରୀ: ଆଜି ପବିତ୍ର ଜନ୍ମାଷ୍ଟମୀ । ପୁରପଲ୍ଲୀ ହୋଇଛି ଭକ୍ତିମୟ । ଶ୍ରୀମନ୍ଦିରରେ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଛି ଶ୍ରୀକୃଷ୍ଣଙ୍କ ଜନ୍ମନୀତି ।
ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି ପରମ୍ପରା ଅନୁଯାୟୀ ଶ୍ରୀକୃଷ୍ଣ ଓ ବଳରାମ ଆଦି ସମସ୍ତ ଅବତାର ଶ୍ରୀଜଗନ୍ନାଥଙ୍କ ଠାରୁ ହିଁ ଜନ୍ମ ନିଅନ୍ତି । ମା’ଦେବକୀ ଶ୍ରୀକୃଷ୍ଣଙ୍କୁ ଜନ୍ମ ଦେଇଥାନ୍ତି । ରବିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଜେଉଟ ଭୋଗ ଲାଗି କରାଯାଇଛି । ଗର୍ଭଯନ୍ତ୍ରଣାରୁ ଉପଶମ ପାଇଁ ଠାକୁରଙ୍କୁ ଏହି ବିଶେଷ ଭୋଗ ଲାଗି କରାଯାଏ । ଏଥିସହ ଠାକୁରଙ୍କ ଗର୍ଭଉଦକ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥାଏ ।
ଗତକାଲି(ରିବାବାର) ବଡ଼ଦେଉଳରେ ଶ୍ରୀବିଗ୍ରହଙ୍କ ସ୍ବତନ୍ତ୍ର ବେଶ ଅନୁଷ୍ଠିତ ହୋଇଥିଲା । ଠାକୁରଙ୍କୁ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲ। । ଅପରାହ୍ନ ୫ଟା ୪୦ ମିନିଟ୍ ବେଶ ଶେଷ ହୋଇଥିଲା । ସନ୍ଧ୍ୟାଧୂପ ସରିବା ପରେ ପାଣି ପଡ଼ି ଜୟବିଜୟ ଦ୍ଵାର ବନ୍ଦ ହୋଇଥିଲା । ଅଣସର ପିଣ୍ଡିଠାରେ ସ୍ବତନ୍ତ୍ର ଜେଉଟ ଭୋଗ ଲାଗି ହୋଇଥିଲା ।
ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ । ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା କରିଥିଲେ । ରାତିରେ ଜେଉଟ ଭୋଗ ଲାଗି ନୀତି ସମ୍ପନ୍ନ ହୋଇଥିଲା । ୩ ବାଡ଼ରେ ବନ୍ଦାପନା ପରେ ମହାପ୍ରଭୁଙ୍କ ବାଡ଼ରେ ଅଧିକ ଥରେ ବନ୍ଦାପନା ହୋଇଥିଲା । ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ । ଏହାପରେ ଯଥାବିଧ ଠାକୁରଙ୍କ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ