ପୁରୀ: ମାର୍ଚ୍ଚ 8 ତାରିଖକୁ ବିଶ୍ୱ ମହିଳା ଦିବସ ଭାବେ ପାଳନ କରାଯାଏ । ସମାଜର ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଓ ପ୍ରଶଂସା ପାଇଁ ସାରା ବିଶ୍ଵରେ ବିଶ୍ୱ ମହିଳା ଦିବସ ପାଳନ କରାଯାଏ । ଜାତିସଂଘ ପକ୍ଷରୁ ସାରା ବିଶ୍ୱରେ ଏହି ଦିବସ ପାଳନ ନେଇ ପ୍ରଥମେ ଆରମ୍ଭ କରାଯାଇଥିଲା । ତେବେ ପୁରୀର ପିପିଲି ଥାନା ସଅଁପୁର ଗ୍ରାମର ଗୌରୀ ବେହେରାଙ୍କୁ ବିଶ୍ୱ ମହିଳା ଦିବସ ଅବସରରେ ସମସ୍ତେ ମନେ ପକାଉଛନ୍ତି ।
ମୃତ୍ୟୁଶଯ୍ୟାରେ ଶୋଇଥିଲା ଝିଅ, ମହାମାରୀ ବିରୋଧରେ ଲଢୁଥିଲା ମା’ ତାଙ୍କର ତ୍ୟାଗ, କର୍ତ୍ତବ୍ୟ ପ୍ରତି ନିଷ୍ଠା ଅତ୍ୟନ୍ତ ବିରଳ। ସେ ଜଣେ ହୋମଗାର୍ଡ ଭାବେ ପୁରୀର ପିପିଲି ଥାନାରେ କାର୍ଯ୍ୟ କରନ୍ତି । ତେବେ କୋରୋନା ମହାମାରୀ ପାଇଁ ଲକଡାଉନ୍ ବେଳେ ସେ ଯେତେବେଳେ ଡ୍ୟୁଟିରେ ଥିଲେ ତାଙ୍କର ଏକ ମାତ୍ର ଝିଅକୁ ହରାଇଥିଲେ । ଝିଅକୁ ଲିଭର କ୍ୟାନ୍ସର ଭଳି ମାରାତ୍ମକ ରୋଗ ହୋଇ ଥିଲେ ମଧ୍ୟ ତାକୁ ଘରେ ଛାଡ଼ି ସେ କୋଭିଡ ଡ୍ୟୁଟିରେ ଥିଲେ । ଝିଅ ରୋଗଶଯ୍ୟାରେ ପଡିଥିଲେ ମଧ୍ୟ କେବେବି କର୍ତ୍ତବ୍ୟରେ ଅବହେଳା ନକରି ପ୍ରତିଦିନ ଡ୍ୟୁଟିକୁ ଯାଉଥିଲେ ଗୌରୀ ।
ଯାହାକି ପ୍ରମାଣ କରୁଛି ହୋମଗାର୍ଡ ଗୌରୀଙ୍କ କାର୍ତ୍ତବ୍ୟ ପରାୟଣତା । ତେବେ ଏକ ମାତ୍ର ଝିଅକୁ ସେ ହରାଇ ଥିଲେ ମଧ୍ୟ ଭାଙ୍ଗି ନପଡି ଆଜି ପର୍ଯ୍ୟନ୍ତ ଡ୍ୟୁଟି କରୁଛନ୍ତି। ସେଥିପାଇଁ ପିପିଲି କାହିଁକି ସାରା ରାଜ୍ୟରେ ସେ ନିଷ୍ଠାପର କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୌରୀଙ୍କ କର୍ତ୍ତବ୍ୟନିଷ୍ଠାକୁ ନେଇ ପ୍ରଶଂସାରେ ଶତମୁଖ ହୋଇଥିଲେ ।
2020 ମସିହା ଏପ୍ରିଲ 24 ତାରିଖ । ଏହି ଦିନ ଗୌରୀଙ୍କ ପାଇଁ ଥିଲା ଏକ କଳା ଦିନ । ଏହିଦିନ ସେ ଡ୍ୟୁଟିରେ ଥିବା ବେଳେ ତାଙ୍କର ଏକ ମାତ୍ର ଝିଅ ଲୋପାମୁଦ୍ରା କ୍ୟାନ୍ସର ରୋଗରେ ଆଖି ବୁଝି ଥିଲେ । ତେବେ ପୂର୍ବରୁ ଅନେକ ଜାଗାରେ ନିଜ ଝିଅର ଚିକିତ୍ସା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଅର୍ଥାଭାବ ଓ ଡ୍ୟୁଟିରେ ଥିବା ଯୋଗୁ ସମୟ ଅଭାବ ପାଇଁ ଗୌରୀ ଝିଅକୁ ବଞ୍ଚାଇପାରି ନଥିଲେ । ଫଳରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଝିଅ ଆଖି ବୁଜିଥିଲେ । ଏପଟେ ଗୌରୀଙ୍କ ଉପରେ ତାଙ୍କ ପରିବାର ନିର୍ଭରଶୀଳ । ତାଙ୍କର ଗୋଟିଏ ଭାଇ ମାନସିକ ବିକୃତ ଥିବା ବେଳେ ବୁଢ଼ା ବାପା ମାଙ୍କ ଦାୟିତ୍ବ ମଧ୍ୟ ଗୌରୀଙ୍କ କାନ୍ଧରେ । ସେହିପରି ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଛାଡି କେଉଁ ଆଡେ ପଳାଇଛନ୍ତି ।
ସ୍ବଳ୍ପ ବେତନ ପାଇଁ ଭଙ୍ଗା ଘରେ ରହୁଛନ୍ତି ଗୌରୀ । ସୁଖ ଦୁଃଖ ମଧ୍ୟରେ ଘର ସଂସାର ଚାଲି ଥିବାବେଳେ ଏକ ମାତ୍ର ଝିଅର ମୃତ୍ୟୁ ପରେ ସେ ଅସହାୟ ହୋଇ ପଡିଛନ୍ତି । ତେବେ ଗୌରୀଙ୍କ ଭଳି ଜଣେ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ଓ ପ୍ରଶାସନ ଏକ ବାସଗୃହ ଯୋଗାଇ ଦେବା ସହ ପୋଲିସ ବିଭାଗରେ ଏକ ସ୍ଥାୟୀ ଚାକିରୀ ବ୍ୟବସ୍ଥା କରାଇବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।
ଗୌରୀ ବେହେରା ଭଳି ଜଣେ କୋଭିଡ ଯୋଦ୍ଧା କର୍ତ୍ତବ୍ୟ ପାଇଁ ନିଜ ପରିବାରକୁ ଭୁଲି ଯାଇଥିଲେ । ଗଣମାଧ୍ୟମ ଚର୍ଚ୍ଚା ପରେ ପ୍ରଶାସନ ତାଙ୍କୁ ଏକ ବାସଗୃହ ଓ ଆର୍ଥିକ ସହାୟତା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ହେଲେ ସମୟ ବିତିବା ସହ ପ୍ରତିଥର ଭଳି ପ୍ରଶାସନ ମଧ୍ୟ କୌଣସି ପ୍ରତିଶୃତି ପାଳନ କରିନି । ସବୁଠୁ ବଡ଼ କଥା ହେଉଛି ଗୌରୀ କେବେବି ପ୍ରଶାସନ ଅଥବା ସରକାରଙ୍କୁ କିଛି ଦାବି କରି ନାହାନ୍ତି । ତେବେ ସମାଜ ହିତ ପାଇଁ ନିଜ ପରିବାରକୁ ପଛରେ ପକାଇ କର୍ତ୍ତବ୍ୟ କରିଥିବା ଏହି କୋଭିଡ ଯୋଦ୍ଧାକୁ କେବେ ପୁରୀ ପ୍ରଶାସନ ସାହାଯ୍ୟର ହାତ ବଢ଼ାଉଛି ତାକୁ ଅପେକ୍ଷା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ