ପୁରୀ: ଭକ୍ତବତ୍ସଳ ଭାବଗ୍ରାହୀ ଯୁଗେ ଯୁଗେ ରତ୍ନବେଦୀ ଛାଡି ଧାଇଁ ଆସିଛି ଭକ୍ତ ନିକଟକୁ । ତ୍ରେତୟାରେ ଶବରୀର ଅଇଁଠା, ଦ୍ବାପରରେ ସୁଦାମାର ଖୁଦଭଜା ଆଉ ବିଦୂରର ଶାଗଭଜା ଖାଇ ଭକ୍ତଶ୍ରେଷ୍ଠ ବୋଲାଉଛନ୍ତି ଭାବଗ୍ରାହୀ... କଳିଯୁଗରେ ମଧ୍ୟ ଭକ୍ତର ଭକ୍ତିରେ ବିଭୋର ହୋଇ ଅଦୃଶ୍ୟରେ ରଚୁଛନ୍ତି କେତେ ଲୀଳା । ଭାବରେ ଅଟକାଇଛନ୍ତି ନନ୍ଦିଘୋଷ । ହାତ ବଢାଇ ନେଇଛନ୍ତି ନାରିକେଳ । ଆଉ ନନ୍ଦିଘୋଷରୁ ଯାଇ ବାଲିରଥରେ ହୋଇଛନ୍ତି ବିରାଜିତ ।
ଭକ୍ତ ସାଲବେଗ
ଭାବର ଠାକୁର ଭାବଗ୍ରାହୀଙ୍କ ଏକାଧିକ ଭକ୍ତଙ୍କ ମଧ୍ୟରୁ ଭକ୍ତ ସାଲବେଗ ଅନ୍ୟତମ । ଭକ୍ତ ସାଲବେଗ ମୁସଲମାନ ବା ଯବନ ଥିଲେ ମଧ୍ୟ ତାଙ୍କ ଚିତ୍ତ ସଦା ସର୍ବଦା ଜଗନ୍ନାଥଙ୍କ ଭକ୍ତିରେ ଲୀନ ରହୁଥିଲା । ଏକଦା ଏକ ଯୁଦ୍ଧରେ ଭକ୍ତ ସାଲବେଗ କ୍ଷତାକ୍ତ ହୋଇ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରନ୍ତେ ତାଙ୍କ କ୍ଷତ ଭଲ ହୋଇ ଯାଇଥିଲା। ମହାପ୍ରଭୁଙ୍କ ଭକ୍ତ ହୋଇଥିବା ସତ୍ତ୍ବେ ସାଲବେଗଙ୍କ ମନ୍ଦିର ପ୍ରବେଶ ଉପରେ ଲାଗିଥିଲା କଟକଣା । ତେଣୁ ମହାପ୍ରଭୁଙ୍କ ଦର୍ଶନର ଏକମାତ୍ର ପନ୍ଥା ଥିଲା ରଥଯାତ୍ରା । ତେଣୁ ରଥରେ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ସୁଦୂର ବୃନ୍ଦାବନରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଲେ ସାଲବେଗ । କିନ୍ତୁ ଠିକ୍ ସମୟରେ ପୁରୀ ପହଁଞ୍ଚି ନପାରି ଅଧା ବାଟରେ ଭଗବାନଙ୍କୁ ଆବେଗଭରା କଣ୍ଠରେ ରଥ ରଖିବାକୁ ପ୍ରାର୍ଥନା କରିଥିଲେ। ତାଙ୍କ ପ୍ରାର୍ଥନାରେ ମହାପ୍ରଭୁ ଏତେ ପ୍ରୀତ ହୋଇ ସେ ଆସିବା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଅଟକି ରହିଥିଲା ନନ୍ଦିଘୋଷ ରଥ ।
ସେ ମହାପ୍ରଭୁଙ୍କୁ ନେଇ ଅନେକ ଭଜନ ଓ ଜଣାଣ ଲେଖିଛନ୍ତି । ସାଲବେଗଙ୍କ ବାପା ଥିଲେ ଲାଲବେଗ । ସେ ତତ୍କାଳୀନ ମୋଗଲ ରାଜାଙ୍କ ସୁବେଦାର ଥିଲେ। ସେ ପୁରୀର ଦାଣ୍ଡ ମୁକୁନ୍ଦ ପୁରରେ ଯାଉଥିବା ବେଳେ ଥରେ ଜଣେ ସ୍ନାନ କରୁଥିବା ବିଧବା ବ୍ରାହ୍ମଣୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ବିବାହ କରିଥିଲେ । ଲାଲବେଗଙ୍କର ଏକମାତ୍ର ପୁତ୍ର ଥିଲେ ସାଲବେଗ । ଏଣୁ ମା ଜଗନ୍ନାଥଙ୍କ ଭକ୍ତ ହୋଇଥିବା ହେତୁ ସାଲବେଗ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ଉପରେ ବିଶ୍ବାସ କରୁଥିଲେ । ପ୍ରଭୁଙ୍କ ପରମ ଭକ୍ତ ସାଲବେଗଙ୍କ ମୃତ୍ୟୁ ପରେ ତତ୍କାଳୀନ ଗଜପତି ରାଜାଙ୍କ ନିର୍ଦ୍ଦେଶ କ୍ରମେ ବଡ଼ ଦାଣ୍ଡର ବଳଗଣ୍ଡି ଛକରେ ତାଙ୍କର ସମାଧି ଦିଆଯାଇଥିଲା । ଯାହାକି ଏବେ ଭକ୍ତ ସାଲବେଗଙ୍କ ମନ୍ଦିର ଭାବେ ପରିଚିତ ।
ଦାସିଆ ବାଉରୀ
ଜଗନ୍ନାଥଙ୍କ ଆଉ ଜଣେ ଅନନ୍ୟ ଭକ୍ତ ହେଉଛନ୍ତି ପୁରୀ ପିପିଲି ଅଞ୍ଚଳ ବାଲିଗାଁର ବାସିନ୍ଦା ଦାସିଆ ବାଉରୀ । ଦାସିଆ ମହାପ୍ରଭୁଙ୍କର ଜଣେ ପରମ ଭକ୍ତ ଥିଲେ । ଥରେ ଦାସିଆ ନିଜ ବାଡ଼ିରୁ ଆଣିଥିବା ନଡ଼ିଆ ଆଣି ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ପଣ୍ଡା ମାନଙ୍କୁ ଦେଇଥିଲେ । କହିଥିଲେ ମହାପ୍ରଭୁଙ୍କୁ ଜଣାଇବା ବାଲିଗାଁ ଦାସିଆ ଏହି ନଡ଼ିଆ ପଠାଇଛି । ଯଦି ମହାପ୍ରଭୁ ହାତ ବଢ଼ାଇ ନଡ଼ିଆ ନିଜେ ନିଅନ୍ତି ତାହା ହେଲେ ମହାପ୍ରଭୁଙ୍କୁ ନଡ଼ିଆ ଅର୍ପଣ କରିବ । ନ ହେଲେ ଫେରାଇ ଆଣିବ। ସବୁଠୁ ଆଶ୍ଚର୍ଯ୍ୟର ଘଟଣା ଘଟିଲା ଯେତେବେଳେ ପଣ୍ଡା ଜଣକ ଆଖି ବୁଜି ନଡ଼ିଆ ବଢ଼େଇଲେ ତାହା ଉଭାନ ହୋଇଗଲା । ପରେ ଦାସିଆର ଭକ୍ତି ନେଇ ଧନ୍ୟ ଧନ୍ୟ କହିଥିଲେ ସମସ୍ତେ । ଦାସିଆ ନଡ଼ିଆ ନେବା ପ୍ରମାଣିତ କରିଛି ମହାପ୍ରଭୁଙ୍କ ଆଗରେ କୌଣସି ଉଚ୍ଚ ନୀଚ ଭେଦଭାବ ନାହିଁ । ମହାପ୍ରଭୁଙ୍କ ପାଇଁ ତାଙ୍କ ଭକ୍ତ ସବୁଠୁ ବଡ଼ ।
ବଳରାମ ଦାସ
ସେହିପରି ମହାପ୍ରଭୁଙ୍କ ଆଉ ଜଣେ ପରମ ଭକ୍ତ ହେଉଛନ୍ତି ପଞ୍ଚସଖା ଯୁଗର ବଳରାମ ଦାସ । ଭକ୍ତ ବଳରାମ ମହାପ୍ରଭୁଙ୍କର ଏତେ ଆପଣାର ଥିଲେ ଯେ ସେ ମହାପ୍ରଭୁଙ୍କ ସହ ମିଶି ପଣସ ବଗିଚାରେ ପଣସ ଖାଉଥିଲେ। ଥରେ ପୁରୀର ପଣ୍ଡା ମାନେ ରଥଯାତ୍ରା ସମୟରେରେ ବଳରାମ ଦାସଙ୍କୁ ଅପମାନ ଦେଇ ରଥରୁ ବିତାଡିତ କରିଥିଲେ । ପରେ ବଳରାମ ଦୁଃଖରେ ଚକ୍ରତୀର୍ଥ ସମୁଦ୍ର କୂଳ ଯାଇ ବାଲିରେ ରଥ କରି ମହାପ୍ରଭୁଙ୍କୁ ରଥରେ ବିରାଜମାନ କରିବାକୁ ପ୍ରାର୍ଥନା କରିଥିଲେ । ପରେ ସ୍ବୟଂ ମହାପ୍ରଭୁ ବାଲି ରଥରେ ବିଦ୍ୟମାନ କରିଥିଲେ । ସେପଟେ ରଥରୁ ମହାପ୍ରଭୁ ବାଲିରଥକୁ ଆସିଯିବାରୁ ରଥ ଆଉ ଗଡ଼ିନଥିଲା । ତେବେ ମହାରାଜାଙ୍କୁ ଏ ନେଇ ସ୍ବପ୍ନାଦେଶ ପରେ ବଳରାମ ଦାସଙ୍କୁ ସମ୍ମାନ ଦେଇ ରଥ ଉପରେ ବସାଇବା ପରେ ମହାପ୍ରଭୁଙ୍କ ରଥ ଗଡିଥିଲା । ଭକ୍ତ ବଳରାମ ଦାସ ଅନେକ ପୁସ୍ତକ ଲେଖିଥିବା ବେଳେ ଓଡ଼ିଆରେ ରାମାୟଣ, ଭାଗବତ ଓ ଲକ୍ଷ୍ମୀ ପୁରାଣ ସେଥି ମଧ୍ୟରୁ ଅନ୍ୟତମ।