ପୁରୀ:ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇଛି ପୁରୀ ଜିଲ୍ଲା ।ତିନିଦିନ ଧରି ପ୍ରବଳ ବର୍ଷା ପରେ ଆଜି (ମଙ୍ଗଳବାର) ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଥିଲେ ମଧ୍ୟ ପୁରୀ ଲୋକଙ୍କ ଦୁର୍ଦ୍ଦଶା କମିନି। ଲଘୁଚାପ ଜନିତ ବର୍ଷା ଯୋଗୁଁ ପୁରୀ ୧ ନମ୍ବର ୱାର୍ଡର ଅନେକ ପରିବାର ଏବେ ଜଳବନ୍ଦୀ ଘେରରେ । ସବୁଠାରୁ ବଡକଥା ହେଉଛି ଏହି ୱାର୍ଡରେ ଜଳ ନିଷ୍କାସନ ପାଇଁ ଡ୍ରେନ୍ ବ୍ୟବସ୍ଥା ନଥିବାରୁ ଏଠାକର ବାସିନ୍ଦା ଜଳବନ୍ଦୀ ଜୀବନ ବିତାଉଛନ୍ତି । ଗତ କିଛିବର୍ଷ ଧରି ନେତା ଓ ପ୍ରଶାସନିକ ଅଧିକାରୀମାନେ ସ୍ଥାୟୀ ସମାଧାନ ପାଇଁ ପ୍ରତିଶୃତି ଦେଉଥିଲେ ମଧ୍ୟ ପୂର୍ବ ସ୍ଥିତିରେ ରହିଛି ଏହି ଅଞ୍ଚଳ। ପୁରୀ ସହରର ୧ ନଂ ୱାର୍ଡ ମାଟିତୋଟା ଓ ସୁଜାତା ନଗର ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀରେ ।
ପୁରୀରେ ବର୍ଷା ବିତ୍ପାତ, ସହରର ବିଭିନ୍ନ ୱାର୍ଡରେ କୂତ୍ରିମ ବନ୍ୟା ତେବେ ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି । କିଏ ଗାମୁଛା ପିନ୍ଧି ଯାତାୟତ କରୁଛି ତ ଆଉ କିଏ ଡ଼ଙ୍ଗା ସାହଯ୍ୟରେ ଯାତାୟତ କରୁଛି । ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଏଠାରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ସେପଟେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଥିବାବେଳେ ବର୍ଷା ନଥିଲେ ମଧ୍ୟ ଏଠାକାର ବାସିନ୍ଦା ଜଳବନ୍ଦୀ ଜୀବନ ବିତାଉଛନ୍ତି । ଏହି ଅଞ୍ଚଳର ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଥିବାବେଳେ ରାସ୍ତା ଓ ଘରେ ବର୍ଷା ଜଳ ପଶିଯାଇଥିବାରୁ ଆଣ୍ଠୁଏ ଉଚ୍ଚର ପାଣିରେ ଯିବା ଆସିବା କରିବାକୁ ପଡୁଛି। ଘର ସବୁ ବର୍ଷା ଜଳରେ ବୁଡ଼ି ରହିଥିବାରୁ ବିଭିନ୍ନ ପ୍ରକାର ଜନ୍ତୁ ଘରେ ପଶୁଥିବା ନେଇ ସୂଚନା ମିଳିଛି ।
ଘରେ ଛୋଟ ଛୁଆ ଧରି ଘରେ ଲୋକେ ଭୟରେ ଦିନ ରାତି କାଟୁଛନ୍ତି । ତେବେ ବିଡମ୍ବନାର ବିଷୟ ହେଉଛି ଏହି ୱାର୍ଡରେ ଡ୍ରେନେଜର ବ୍ୟବସ୍ଥା ହିଁ ନାହିଁ । ବାରମ୍ବାର ଏନେଇ ଅଭିଯୋଗ କଲେ ମଧ୍ୟ ବିଧାୟକ ଓ ପ୍ରଶାସନ କେହି ବି କର୍ଣ୍ଣପାତ କରୁନାହାନ୍ତି । ତେବେ ଏହି ୱାର୍ଡରେ ଯଥାଶୀଘ୍ର ଡ୍ରେନ୍ ନିର୍ମାଣ ସହ ବର୍ଷାଜଳ ନିଷ୍କାସନ କରିବାର ବାଟ ନବାହାରିଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଜଳ ନିଷ୍କାସନ ପାଇଁ ଗତ ୩ ବର୍ଷ ତଳେ ଏହି ୱାର୍ଡ ଠାରୁ କିଛି ବାଟରେ ଥିବା ୨୦୩ ଜାତୀୟ ରାଜପଥକୁ କାଟି ଦିଆଯାଇଥିଲା । କିଛି ବର୍ଷ ପୂର୍ବେ ଏହି ଅଞ୍ଚଳରେ ସାଇଫନ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲା ଜିଲ୍ଲା ପ୍ରଶାସନ ।
ତେବେ ଏଠାରେ ଏହା ନିର୍ମାଣ ହୋଇଥିଲେ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ନଥିବା ଯୋଗୁଁ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ସମସ୍ୟା ଉତ୍କଟ ହୋଇଛି । ସେପଟେ ପୁରୀର ଅନେକ ଅଞ୍ଚଳରୁ ମୋଟର ପମ୍ପ ଲଗାଯାଇ ଜଳ ନିଷ୍କାସନ କରାଯାଇଛି । ସେହିପରି ୧ ନଂ ୱାର୍ଡରେ ଡ୍ରେନ ନିର୍ମାଣ ପାଇଁ ପୌରସଂସ୍ଥା ଏବଂ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ଖୁବଶୀଘ୍ର ଏହି ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏନେଇ ପୁରୀ ସହରରେ ଜଳ ନିଷ୍କାସନ ନେଇ ପୁରୀ ପୌରପାଳିକା ଏକ ମାଷ୍ଟର ପ୍ଲାନ କରୁଛି । ଏହା ପ୍ରସ୍ତୁତ ହୋଇଗଲେ ପୁରୀ ସହରରେ ଜଳ ନିଷ୍କାସନ ସମସ୍ୟା ଦୂର ହୋଇ ଯିବ। ସେହିପରି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାପିଡ଼ ରେସପନ୍ସ ଟିମ ଗଠନ କରାଯାଇଛି । କୌଣସି ଅଞ୍ଚଳରେ କିଛି ବି ଅସୁବିଧା ହେଲେ ଏହି ଟିମ ଉଦ୍ଧାର କାର୍ଯ୍ୟ ପାଇଁ ଶୁଖିଲା ଖାଦ୍ୟ ସମେତ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ