ପୁରୀ:ଆଜି ଚମ୍ପକ ଦ୍ଵାଦଶୀ । ଆଜିର ତିଥିରେ ଶ୍ରୀମନ୍ଦିରରେ ଦେବଦମ୍ପତିଙ୍କ ଗୁଆଲି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥାଏ । ଛତିଶା ନିଯୋଗ ସେବାୟତମାନଙ୍କ ପକ୍ଷରୁ ଏହି ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥାଏ । ଦେବଦମ୍ପତି ତଥା ପ୍ରଭୁ ମଦନମୋହନ ଓ ମା' ଶ୍ରୀଦେବୀ(ରୁକ୍ମିଣୀ) ନଗର ପରିକ୍ରମା ସହିତ ପନ୍ତି ଭୋଗ ଗ୍ରହଣ କରନ୍ତି । ଦେଉଳରେ ସକାଳ ଧୂପ ଓ ଭୋଗମଣ୍ଡପ ପରେ ଭିତରେ ଆଲଟ ଲାଗି କରାଯାଇ ମହାସ୍ନାନ କରାଯାଇଥାଏ । ଏହାପରେ ନୂଆ ଲୁଗା ଲାଗି ଓ ଚନ୍ଦନ ଲାଗି କରାଯାଇଥାଏ ।
ଚମ୍ପକ ଦ୍ଵାଦଶୀ: ଶ୍ରୀମନ୍ଦିରରେ ଦେବଦମ୍ପତିଙ୍କ ଗୁଆଲି ଶୋଭାଯାତ୍ରା - ଶ୍ରୀମନ୍ଦିରରେ ଗୁଆଲି ଶୋଭାଯାତ୍ରା
ଆଜି ଚମ୍ପକ ଦ୍ଵାଦଶୀ । ଆଜିର ତିଥିରେ ଶ୍ରୀମନ୍ଦିରରେ ଦେବଦମ୍ପତିଙ୍କ ଗୁଆଲି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥାଏ । ଛତିଶା ନିଯୋଗ ସେବାୟତମାନଙ୍କ ପକ୍ଷରୁ ଏହି ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥାଏ । ଅଧିକ ପଢ଼ନ୍ତୁ
ମଧ୍ୟାହ୍ନ ଧୂପ ପରେ ଦେବଦମ୍ପତିଙ୍କୁ ମନ୍ଦିର ଭିତରେ ବିଜେ କରାଯାଏ ଓ ପରେ ବନ୍ଦାପନା ହୋଇ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ । ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ପ୍ରଭୁ ମଦନମୋହନ ଓ ଶ୍ରୀଦେବୀଙ୍କୁ (ରୁକ୍ମିଣୀ)ବିଜେ କରାଯାଇଥାଏ । ଶୋଭାଯାତ୍ରାରେ ଶ୍ରୀମନ୍ଦିର ପ୍ରଦକ୍ଷଣ କରି ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଶ୍ରୀନଅରରେ ଖଟକୁ ବିଜେ କରାଯାଇଥାଏ । ସେଠାରେ ମହାସୁଆର ଦ୍ୱାରା ପ୍ରସ୍ତୁତ ପିଠା ପଞ୍ଚୋପଚାରରେ ପୂଜା ଓ ମଣୋହି ହୋଇଥାଏ । ଗଜପତିଙ୍କ ପରିବାରର ନାରୀ ଶ୍ରୀନଅରରେ ପ୍ରଭୁ ଓ ଦେବୀଙ୍କୁ ବନ୍ଦାପନା କରି ଭେଟି ପ୍ରଦାନ କରିଥାନ୍ତି । ଏହାପରେ ବରକନ୍ୟା ସେବକଙ୍କଦ୍ୱାରା ନଗର ପରିକ୍ରମା କରିବା ସହିତ ପନ୍ତି ଭୋଗ ଗ୍ରହଣ କରନ୍ତି ।
ଦେବାଦେବୀଙ୍କ ଶୋଭାଯାତ୍ରା ଦେଉଳରୁ ବାହାରି ଶ୍ରୀନଅର, ବାଲିସାହି, ଜିୟରସ୍ୱାମୀ ମଠ, ବରାହୀ ଠାକୁରାଣୀ ମନ୍ଦିର, ହାଟମୁଣ୍ଡ ଓ ହରଚଣ୍ଡୀ ସହି ଦେଇ ଶ୍ରୀଜମ୍ବେଶ୍ଵରଙ୍କ ମନ୍ଦିରରେ ପହଞ୍ଚନ୍ତି । ସେଠାରେ ପଞ୍ଚୁଗ୍ରାସୀ ଭୋଗ ସହିତ ବନ୍ଦାପନା ମଧ୍ୟ ହୋଇଥାଏ । ସେଠାରୁ ଦେବାଦେବୀମାନେ ମଣିକର୍ଣ୍ଣିକା ସାହି ଓ ଗାଣ୍ଡୁଆ ଚୌରାସ୍ଥିତ ଶ୍ରୀକପାଳମୋଚନ ମନ୍ଦିର ସମ୍ମୁଖ ରାସ୍ତା ଦେଇ ଶ୍ରୀମନ୍ଦିରକୁ ବାହୁଡା ବିଜେ କରନ୍ତି । ସେପଟେ ଆଜି ରବିବାର ଥିବାରୁ ଗୁଆଲି ଶୋଭାଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗି ରହିଛି ।