ପୁରୀ: ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡ (Puri Badadanda) ପଥ ସମ୍ପ୍ରସାରଣ ହେବ । ଉଭୟ ପାର୍ଶ୍ବରୁ 20 ଫୁଟ ଚଉଡ଼ା ହେବ । ଏଥିସହ ରାସ୍ତାର ଉଭୟ ପାର୍ଶ୍ୱକୁ ସୌନ୍ଦର୍ଯ୍ୟକରଣ କରାଯିବ। ଉଠା ଦୋକାନୀଙ୍କୁ ଭେଣ୍ଡିଂ ଜୋନରେ ଥାଇଥାନ କରାଯିବ । ଟ୍ରାଫିକ ମୁକ୍ତ ହେବ ବଡଦାଣ୍ଡ । ଫଳରେ ଭକ୍ତମାନେ ସୁବିଧାରେ ଯାତାୟତ କରି ପାରିବେ । ଏହି ପ୍ରକଳ୍ପ କାର୍ଯ୍ୟ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଚାଲିଛି । ସବୁ ପକ୍ଷଙ୍କ ସହ ଆଲୋଚନା ହୋଇ ବଡଦାଣ୍ଡ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ।
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ବଡଦାଣ୍ଡର ଉନ୍ନତି କରଣ ହେବ । ବଡଦାଣ୍ଡର ସମ୍ପ୍ରସାରଣ ହେଲେ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବ । ଏହା ପୂର୍ବରୁ ଅନେକ ଦୋକାନୀ ଉଚ୍ଛେଦ ହୋଇଥିଲେ । ପୁଣି ବଡଦାଣ୍ଡର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ଉଠାଗଲେ ଜୀବନ ଜୀବିକା କିଭଳି ଚାଲିବ ସେନେଇ ଚିନ୍ତାରେ । ପ୍ରଶାସନ ଉଠା ଦୋକାନୀଙ୍କ ଥାଇଥାନ ବ୍ୟବସ୍ଥା କରି ପ୍ରକଳ୍ପ ଆରମ୍ଭ କରୁ ବୋଲି କୁହାଯାଇଛି । ସେପଟେ ପୁରୀ ସହରର ଜନସାଧାରଣ ବଡଦାଣ୍ଡର ଉଭୟ ପଟରେ 20 ଫୁଟ ଚଉଡ଼ାକୁ ନେଇ ବିରୋଧ କରିଛନ୍ତି ।
ସେମାନେ କହିଛନ୍ତି, "ବଡଦାଣ୍ଡର ସମ୍ପ୍ରସାରଣ ଦରକାର ନାହିଁ । ତିନି ରଥ ଯିବା ପାଇଁ ଯଥେଷ୍ଟ ସ୍ଥାନ ଅଛି । ରାସ୍ତା ପ୍ରଶସ୍ଥ ହେଲେ ପୁଣି ଅନେକ ମଠ, ମନ୍ଦିର, ଐତିହ୍ୟ କୋଠା ଉଚ୍ଛେଦ ହେବ । ଏହା ଦ୍ଵାରା ବଡ଼ଦାଣ୍ଡର ଐତିହ୍ୟ କୀର୍ତ୍ତିରାଜି ଲୋପ ପାଇଯିବ । ଅନେକ ଲୋକ ବ୍ୟବସାୟ ହରାଇ ରୋଜଗାର ହରାଇବେ ।" ପୁରୀକୁ ହେରିଟେଜ ସହର ପ୍ରକଳ୍ପ ନାଁରେ ଯେଭଳି ପୁରୀ ବାସିନ୍ଦାଙ୍କୁ ସରକାର ବିସ୍ଥାପିତ କରୁଛନ୍ତି ଆଗାମୀ ଦିନରେ ଏହା ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଲୋକେ କହିଛନ୍ତି ।