ପୁରୀ:ଆଜି ମାର୍ଗଶୀର ଶୁକ୍ଳ ଷଷ୍ଠୀ । ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଆରମ୍ଭ ହୋଇଛି ଓଢ଼ଣ ଷଷ୍ଠୀ ପର୍ବ ପର୍ବ ବା ଘୋଡ ଲାଗି ବେଶ (ghoda lagi besha)। ମାର୍ଗଶୀର ଶୁକ୍ଳ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ଏହି ନୀତି କରାଯାଇଥାଏ ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘୋଡ଼ ଲାଗି ନୀତି ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କୁ ଘୋଡ଼ ଲାଗି କରାଯାଇଥାଏ। ପତନି, ଗୀତଗୋବିନ୍ଦ ପାଟ ଓ ସୁତାପାଟରେ ପ୍ରସ୍ତୁତ ଶୀତବସ୍ତ୍ର ବା ଘୋଡ଼ ପରିଧାନ କରିଥାନ୍ତି ମହାପ୍ରଭୁ। ଏହି ଘୋଡ଼ଲାଗି ଆସନ୍ତା ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ପରିଧାନ କରିବେ ମହାପ୍ରଭୁ । ଗତକାଲି ତିନି ଠାକୁରଙ୍କ ସହ ମା ବିମଳା, ଲକ୍ଷ୍ମୀ, ସରସ୍ବତୀ ଓ ମଦନମୋହନଙ୍କ ପାଇଁ ପ୍ରସ୍ତୁତ ଘୋଡ଼ ଅଧିବାସ ହୋଇଥିଲା । ଆଜି ଠାକୁରଙ୍କୁ ଘୋଡ଼ଲାଗି କରାଯାଇ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଛି ।
ଓଢ଼ଣୀ ଶଷ୍ଠୀ ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ । ଘୋଡ ଲାଗି ବେଶ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ହୋଇଥିବାରୁ ଏହି ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି। ମହାପ୍ରଭୁଙ୍କ ଘୋଡ଼ ବେଶ ନୀତି ମାହାତ୍ମ୍ୟ । ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି। ମନୁଷ୍ୟଙ୍କ ଭଳି ତାଙ୍କର ଚଳଣି । ସକାଳୁ ରାତି ଯାଏ ଅନେକ ନୀତିକାନ୍ତି ରହିଛି । ଆଜି ମାର୍ଗଶୀର ମାସ ଶୁକ୍ଳ ଷଷ୍ଠୀ ଠାରୁ ମହାପ୍ରଭୁଙ୍କ ଘୋଡ଼ ଲାଗି ନୀତି ଆରମ୍ଭ ହୋଇଛି ।
ମହାପ୍ରଭୁଙ୍କ ଘୋଡ଼ ଲାଗି ନୀତି ପଛରେ ଏକ ସୁନ୍ଦର ପୌରାଣିକ କଥା ବସ୍ତୁ ରହିଛି । ମହାପ୍ରଭୁଙ୍କଠୁ ଶୀତ ପରାସ୍ତ ହୋଇଥିବାରୁ ଏହି ନୀତି କରାଯାଏ। ଶୀତ ମହାପ୍ରଭୁଙ୍କୁ ନିବେଦନ କରି କହିଥିଲା ହେ ମହାପ୍ରଭୁ ଆପଣ ଯଦି ପ୍ରକୃତିର ଏହି ନିୟମ ପାଳନ ନ କରିବେ ସବୁ କିଛି ବିଶୃଙ୍ଖଳା ହୋଇଯିବ। ଏଣୁ ଶୀତର ଅନୁରୋଧ ରକ୍ଷା କରି ମହାପ୍ରଭୁ ମଧ୍ୟ ଖଣ୍ଡୁଆ, ଗୀତ ଗୋବିନ୍ଦ, ପତନିରେ ତିଆରି ସ୍ବତନ୍ତ୍ର ଘୋଡ଼ ବ୍ୟବହାର କରନ୍ତି । ଏହି ସ୍ମୃତିକୁ ସ୍ମରଣ କରାଯାଇ ଶ୍ରୀମନ୍ଦିରରେ ଏହି ଘୋଡ଼ ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ତେବେ ଘୋଡ଼ ଲାଗି ନୀତି କଣ ଓ କିଭଳି ଅନୁଷ୍ଠିତ ହୋଇଥାଏ ଏନେଇ ଅଧିକ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଚୂନରା ସେବାୟତ ଶରତ ମହାନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ