ପୁରୀ:ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଧଳା ଜହର କାରବାର । ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । ଏହାସହ 35ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ପୁରୀ ବାସେଳୀ ସାହି ଥାନା ପୋଲିସ ।
Brown Sugar Seized: 35ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ,୪ ଗିରଫ ଗିରଫ ଅଭିଯୁକ୍ତ ମାନେ ହେଲେ ଜଗନ୍ନାଥ ବସ୍ତିର ଦୁଇଭାଇ ରାଜା ସିଙ୍ଗ ଓ ଚନ୍ଦନ ସିଙ୍ଗ, ମାର୍କଣ୍ଡେଶ୍ବର ସାହି ହରିଜନ ବସ୍ତିର ଗୁଡୁ ନାୟକ ଏବଂ ଯାଜପୁର ସପନପୁର ଗାଁର ଅମୂଲ୍ୟ କୁମାର ସ୍ବାଇଁ । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ୨୫୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।
ଏହାସହ ନଗଦ ୨୧୦୦ ଟଙ୍କା, ଚାରୋଟି ମୋବାଇଲ ଫୋନ, ଗୋଟିଏ ଟାଟା ଇଣ୍ଡିଗୋ କାର ସହ ତିନୋଟି ଦୁଇଚକିଆ ଯାନ ପୋଲିସ ଜବତ କରିଛି । ସୂଚନା ଅନୁସାରେ, ଗୁରୁବାର ସକାଳେ ଏହି ଅଭିଯୁକ୍ତ ମାନେ ମଙ୍ଗଳାଘାଟ ପାଖରେ ଥିବା କଲ୍ୟାଣ ମଣ୍ଡପ ନିକଟ ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ରୋଡରେ ବ୍ରାଉନ ସୁଗାର ବ୍ୟବସାୟ କରୁଥିଲେ । ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଚଢ଼ାଉ କରିବା ସହ ଏମାନଙ୍କୁ ଗିରଫ କରିଥିଲା । ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ପୁରୀର ଅତିରିକ୍ତ ଏସପି ମିହିର କୁମାର ପଣ୍ଡା ସୂଚନା ଦେଇଛନ୍ତି ।
ତେବେ ଗତ ଜାନୁଆରୀ ମାସରୁ ଆଜି ସୁଦ୍ଧା ପୋଲିସ ୧ କେଜି ୬୧୯ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ୩୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଜେଲ୍ ପଠାଇଛି । ସେହିପରି ଗତ କିଛି ଦିନ ପୂର୍ବେ ବ୍ରାଉନସୁଗାର ମାଫିଆ ଅନିରୁଦ୍ଧ ଜୟସିଂହକୁ ପୋଲିସ ଗିରଫ କରିବା ସହ ୯୪ ଲକ୍ଷ ଟଙ୍କାର ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ତାହାକୁ ସିଜ୍ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ