ପୁରୀ/ଜଗତସିଂହପୁର: ବଙ୍ଗୋପ ସାଗରରେ ଲଘୁଚାପ ଫଳରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ଲାଗି ରହିଛି । ତେବେ ପୁରୀରେ ବୁଧବାର ସକାଳୁ ଲାଗି ରହିଛି ବର୍ଷା ।
ଅପରାହ୍ନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା । ଫଳରେ ରାସ୍ତା ଘାଟ ପାଣିରେ ବୁଡି ରହିଥିଲା । ବାଧାପ୍ରାପ୍ତ ହୋଇଥିଲା ଯାତାୟତ । ତେବେ ସନ୍ଧ୍ୟାରୁ ବର୍ଷା ବନ୍ଦ ହୋଇଥିଲେ ହେଁ ପୁରୀ ସହରର ତଳିଆ ଅଞ୍ଚଳରେ କିନ୍ତୁ ଜଳ ନିଷ୍କାସନ ହୋଇ ପାରିନାହିଁ । ଫଳରେ ମାଟି ତୋଟା, ସିଦ୍ଧ ମହାବୀର, ରେଲୱେ କଲୋନୀ, ସୁଜାତା ନଗର, ବଳିଆ ପଣ୍ଡା ବସ୍ତିରେ ବର୍ଷା ଜଳ ଜମି ରହିଛି । ଯେଉଁ କାରଣରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି ।
ସେପଟେ ପୁରୀ ବଡ଼ ଦାଣ୍ଡର ମାର୍କେଟ ଛକରୁ ମେଡ଼ିକାଲ ଛକ ପର୍ଯ୍ୟନ୍ତ ଆଣ୍ଠୁଏ ଉଚ୍ଚର ପାଣି ଜମି ଯିବାରୁ ଯାତାୟତରେ ସମସ୍ୟା ଉପୁଜିଥିଲା । ବର୍ଷା ଛାଡିବା ପରେ ଜଳ ନିଷ୍କାସନ ହେବାରୁ ଯାତାୟତ ସ୍ବାଭାବିକ ହୋଇଥିଲା । ତେବେ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ପୁରୀ ସହରରେ ଯେପରି ଜଳ ବନ୍ଦୀ ପରିସ୍ଥିତି ନଉପୁଜେ ସେ ନେଇ ମୋଟର ପମ୍ପରେ ପାଣି ନିଷ୍କାସନ ସହ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ।