ପୁରୀ:ସରକାରୀ ଚିକିତ୍ସାଳୟରେ ଶୋଷଣ ହେଉଛନ୍ତି ରୋଗୀ । ଏହାସହ ସବୁ ନିତି ନିୟମକୁ ଡାକ୍ତର ବାବୁ ବେଖାତିର କରୁଥିବା ଅଭିଯୋଗ ହୋଇଛି । ନିରାମୟ କେନ୍ଦ୍ରରୁ ଔଷଧ ନ ଆଣି ବାହାରୁ ଆଣିବାକୁ ସାଦା କାଗଜରେ ଲେଖା ଦେଉଛନ୍ତି ଡାକ୍ତର । ଏହି ଖବର ସାମ୍ନାକୁ ଆସିବା ପରେ ମେଡିସିନ ରିପ୍ରେଜେନଟିଭ ଓ ଡାକ୍ତରଙ୍କ ମଧ୍ୟରେ ମଧୂଚନ୍ଦ୍ରିକା ଚାଲିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ଜଣେ ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହି ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଚନ୍ଦନପୁର ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରରେ ।
ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଏମିତି କି ଡାକ୍ତରମାନେ ନିୟମିତ କାର୍ଯ୍ୟରେ ଯୋଗ ମଧ୍ୟ ଦେଉନାହାଁନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେବା ସହ ଆଖପାଖ ଅଞ୍ଚଳରୁ ଅସୁଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତରଖାନାରେ ଥିବା ନିରାମୟ କେନ୍ଦ୍ର ଅଧିକାଂଶ ସମୟରେ ବନ୍ଦ ରହୁଥିବାରୁ ରୋଗୀଙ୍କୁ ବାହାରୁ ମେଡିସିନ କ୍ରୟ କରିବାକୁ ପଡୁଛି ।