ଓଡିଶା

odisha

ETV Bharat / city

ଭାଙ୍ଗିଲା ମେଘନାଦ ପାଚେରୀ ସଂଲଗ୍ନ ସମସ୍ତ କୋଠାଘର

ମେଘନାଦ ପାଚେରୀ ସଂଲଗ୍ନ ସମସ୍ତ କୋଠା, ଦୋକାନ ଘର ଆଦି ଭାଙ୍ଗି ଦିଆଯାଇଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଏହି କାର୍ଯ୍ୟ କରାଯାଇଛି । ପୁରୀ ଜିଲ୍ଲାପାଳ, ଏସପି, ମାଜିଷ୍ଟ୍ରେଟ, ପୋଲିସ ଫୋର୍ସ ଉପସ୍ଥିତିରେ ଏହି କାର୍ଯ୍ୟ ହୋଇଛି।

By

Published : Aug 19, 2019, 11:50 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ରହିଥିବା ବିଭିନ୍ନ କୋଠା ଘର, ଦୋକାନ ଘର, ସରକାରୀ ଅଫିସକୁ ସୋମବାର ଉଚ୍ଛେଦ କରାଯାଇଛି। ତେବେ ଶ୍ରୀମନ୍ଦିର ସିଂହ ଦ୍ବାର ନିକଟରେ ଥିବା ଛାଉଣୀ ମଠ, ବଡ଼ ଛତା ମଠ, ଉତ୍କଳ ମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ କିନ୍ତୁ ପ୍ରଶାସନ ହଟାଇ ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ମଠ ଗୁଡିକ ଶ୍ରୀମନ୍ଦିର ସେବା ପୂଜା ସହିତ ଜଡିତ ଥିବାରୁ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଯାହା କିଛି ପଦକ୍ଷେପ ନିଆଯିବ। ସେହିପରି ସିଂହ ଦ୍ବାର ସୂଚନା କେନ୍ଦ୍ର ଉପରେ ଥିବା ଉତ୍କଳ ମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ମଙ୍ଗଳବାର ସ୍ଥାନାନ୍ତର କରାଯିବା ବ୍ୟବସ୍ଥା ହେବ। ତେବେ ପୂର୍ଵ ନିଷ୍ପତ୍ତି ମୁତାବକ ସୋମବାର ସକାଳ 7ଟାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀମନ୍ଦିର ଦକ୍ଷିଣ ଦ୍ବାରରେ ଥିବା ଖଜା ଦୋକାନ, ଶୌଚାଳୟ, ପିଏଚଡି ପମ୍ପ ହାଉସ ଭଙ୍ଗାଯାଇଥିଲା। ପରେ ସିଂହ ଦ୍ବାର ନିକଟରେ ଥିବା ସିଂହ ଦ୍ବାର ଫାଣ୍ଡି, ସୂଚନା କେନ୍ଦ୍ର ଆଦି ଭଙ୍ଗାଯାଇଥିଲା। ସେହିପରି ପଶ୍ଚିମ ଦ୍ବାରରେ ମେଘନାଦ ପାଚେରୀକୁ ଲାଗି ଥିବା ବିଭିନ୍ନ କୋଠା ଘର ଭଙ୍ଗାଯାଇଥିଲା ।

ପୁରୀ ଜିଲ୍ଲାପାଳ, ଏସପି, ମାଜିଷ୍ଟ୍ରେଟ, ପୋଲିସ ଫୋର୍ସ ଉପସ୍ଥିତିରେ ଏହି କାର୍ଯ୍ୟ ହୋଇଛି। ଅନ୍ୟପଟେ ସିଂହଦ୍ବାର ଫାଣ୍ଡି, ସୂଚନା କେନ୍ଦ୍ରକୁ ଅସ୍ଥାୟୀ ରୂପେ ଏକ କଣ୍ଟେନରକୁ ସ୍ଥାନାନ୍ତର କରାଯାଇଛି। ଯାହାକି ସିଂହ ଦ୍ବାର ନିକଟରେ ରଖାଯାଇଛି। ତେବେ ମଙ୍ଗଳବାର ବିଭିନ୍ନ ଭଗ୍ନାବଶେଷ ଗୁଡିକୁ ସଫା କରାଯିବାର ବ୍ୟବସ୍ଥା ରହିଛି।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details