ପୁରୀ: ଶ୍ରୀକ୍ଷେତ୍ରରେ ବିରାଜିତ କୋଟି ଓଡ଼ିଆର ମଉଡମଣି ବ୍ରହ୍ମାଣ୍ଡପତି ଶ୍ରୀଜଗନ୍ନାଥ । 12 ମାସରେ ତାଙ୍କର ଅନୁଷ୍ଠିତ ହେଉଛି 13 ପର୍ବ । ସମସ୍ତ ପର୍ବ ପର୍ବାଣୀର ରହିଛି ସ୍ବତନ୍ତ୍ର ନୀତିକାନ୍ତି ଓ ପରମ୍ପରା । ଭିନ୍ନ ଭିନ୍ନ ପର୍ବରେ ଭିନ୍ନ ଭିନ୍ନ ନୀତିକାନ୍ତି ପାଇଁ ଶ୍ରୀମନ୍ଦିର ମଧ୍ୟରେ ରହିଛି ବିଭିନ୍ନ ପ୍ରକାର ମଣ୍ଡପ । ସେଗୁଡ଼ିକ ହେଲା ରତ୍ନ ମଣ୍ଡପ, ଭେଟ ମଣ୍ଡପ, ଚାହାଣୀ ମଣ୍ଡପ, ସ୍ନାନ ମଣ୍ଡପ, ପ୍ରସାଦ ମଣ୍ଡପ, ବୈକୁଣ୍ଠ ମଣ୍ଡପ, ବକୁଳ ମଣ୍ଡପ, ଭୋଗ ମଣ୍ଡପ, ମାଜଣା ମଣ୍ଡପ, ଜଳକ୍ରୀଡା ମଣ୍ଡପ, ନାଭିକଟା ମଣ୍ଡପ, ଦେବସଭା ମଣ୍ଡପ, ଅଚିନ୍ତା ମଣ୍ଡପ, ନାଟପା ମଣ୍ଡପ, ଆଡ଼ପ ମଣ୍ଡପ, ବଳି ମଣ୍ଡପ, ଦୋଳ ମଣ୍ଡପ, ଯଜ୍ଞ ମଣ୍ଡପ ଓ ମୁକ୍ତି ମଣ୍ଡପ ।
ମହାପ୍ରଭୁ ବିରାଜ ମାନ କରିଥିବା ରତ୍ନ ସିଂହାସନକୁ ରତ୍ନ ମଣ୍ଡପ ବା ନୀଳାଦ୍ରି ମଣ୍ଡପ କୁହାଯାଏ । ଏହାପରେ ରହିଛି ନାଟ ମଣ୍ଡପ । ଏଠାରେ ମହାପ୍ରଭୁଙ୍କ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ। ସେହିପରି ଶ୍ରୀମନ୍ଦିର ଭିତରେ ରହିଛି ଭୋଗ ମଣ୍ଡପ । ଏଠାରେ ବରାଦୀ ଭୋଗ ମହାପ୍ରଭୁଙ୍କ ନିକଟରେ କରାଯାଏ। ଶ୍ରୀମନ୍ଦିର କୁରୁମ ବେଢ଼ା ଭିତରେ ରହିଛି ଜଳ କ୍ରୀଡା ମଣ୍ଡପ । ଏଠାରେ ମହାପ୍ରଭୁଙ୍କ ଜଳ କ୍ରୀଡା ନୀତି ଅନୁଷ୍ଠିତ ହୋଇଥାଏ। ଏହା ନିକଟରେ ରହିଛି ମୁକ୍ତି ମଣ୍ଡପ। ଯେଉଁଠାରେ ବିଭିନ୍ନ ପାତକର ପ୍ରତିକାର ପାଇଁ ଭକ୍ତ ମାନେ ଆସି ମୁକ୍ତି ମଣ୍ଡପର ବ୍ରାହ୍ମଣ ମାନଙ୍କ ଠାରୁ ପରାମର୍ଶ ନେଇଥାନ୍ତି। ସେହିପରି ଭିତର ବେଢ଼ାରେ ରହିଛି ସୋମନାଥ ମଣ୍ଡପ ବା ମାଜଣା ମଣ୍ଡପ । ଏହି ମଣ୍ଡପରେ ଠାକୁରଙ୍କ ମାଜଣା ନୀତି, ରୁକ୍ମଣୀ ହରଣ ଏକାଦଶୀ ତିଥି ତଥା ମହାପ୍ରଭୁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୁଏ । ଏହାସହ ଦୁର୍ଗା ପୂଜା ସମୟରେ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ପାଇଁ ଏହି ସମସ୍ତ ମଣ୍ଡପ ପ୍ରତିଷ୍ଠା କରାଯାଇଛି।
ସେହିପରି କୋଇଲି ବୈକୁଣ୍ଠରେ ରହିଛି ଦେବସଭା ମଣ୍ଡପ । ଏଠାରେ ଦେବତା ମାନେ ଏକାଠି ହୋଇ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରନ୍ତି। ସେହିପରି ଅନ୍ୟ ଏକ ମଣ୍ଡପ ହେଉଛି ନାଭି କଟା ମଣ୍ଡପ । ଜନ୍ମାଷ୍ଟମୀରେ ଠାକୁରଙ୍କ ଜନ୍ମ ନୀତି ପରେ ଏହି ମଣ୍ଡପରେ ମହାପ୍ରଭୁଙ୍କ ନାଭି କଟାଯାଏ। ସେହିପରି ଶ୍ରୀମନ୍ଦିର ଭିତର ବେଢ଼ା ବାହାରେ ରହିଛି ଚାହାଣୀ ମଣ୍ଡପ । ଯାହାକି ଶ୍ରୀମନ୍ଦିର ସିଂହ ଦ୍ବାରର ବାମ ପଟେ ଆନନ୍ଦ ବଜାରରେ ଅବସ୍ଥିତ। ବାହୁଡା ଦିନ ନନ୍ଦିଘୋଷ ରଥ ଶ୍ରୀନହର ନିକଟତର ହେଲେ ଏହି ମଣ୍ଡପରେ ମା’ ଲକ୍ଷ୍ମୀ ନନ୍ଦିଘୋଷ ରଥକୁ ନିରୀକ୍ଷଣ କରିଥାନ୍ତି।