ଓଡିଶା

odisha

ETV Bharat / city

ମହାପ୍ରଭୁଙ୍କ ସୁନାବେଶରେ ଭଙ୍ଗା କିରିଟ ଲାଗି, ଘଟଣାର ତଦନ୍ତ ଦାବି କଲେ ଭକ୍ତ - ଜଗନ୍ନାଥଙ୍କ ସୁନାବେଶରେ ବିଭ୍ରାଟ

ମହାପ୍ରଭୁଙ୍କ ସୁନାବେଶରେ ଭଙ୍ଗା କିରିଟ ଲାଗି ନେଇ ଭକ୍ତ ମହଲରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ । ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ସେବାୟତଙ୍କ ବିରୋଧ ରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି । ଅଧିକ ପଢ଼ନ୍ତୁ...

ମହାପ୍ରଭୁଙ୍କ ସୁନାବେଶରେ ଭଙ୍ଗା କିରିଟ ଲାଗି, ଘଟଣାର ତଦନ୍ତ ଦାବି କଲେ ଭକ୍ତ
ମହାପ୍ରଭୁଙ୍କ ସୁନାବେଶରେ ଭଙ୍ଗା କିରିଟ ଲାଗି, ଘଟଣାର ତଦନ୍ତ ଦାବି କଲେ ଭକ୍ତ

By

Published : Jul 22, 2021, 5:28 PM IST

ପୁରୀ: ମହାପ୍ରଭୁଙ୍କ ସୁନାବେଶରେ ଭଙ୍ଗା କିରିଟ ଲାଗି ନେଇ ଭକ୍ତ ମହଲରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ । ବାହୁଡ଼ା ଯାତ୍ରା ପରେ ଗତକାଲି (ବୁଧବାର) ଜଗନ୍ନାଥଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଥିଲା। ତେବେ ଏହି ସୁନାବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଲାଗି ହୋଇଥିବା ସୁନା କିରିଟର ଗୋଟିଏ ଅଂଶ ଭାଙ୍ଗି ଯାଇଥିବା ନଜରକୁ ଆସିଥିଲା। ବିଶ୍ୱନିୟନ୍ତା କାଳିଆ ଠାକୁରଙ୍କୁ ଭଙ୍ଗା କିରିଟ ପିନ୍ଧିବାଇବାକୁ ନେଇ ବିଭିନ୍ନ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି । ଏହି ଘଟଣା ପଦାକୁ ଆସିବା ପରେ ବିରୋଧର ସ୍ୱର ଉଠିଛି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହାର ତଦନ୍ତ ଦାବି ହୋଇଛି।

ମହାପ୍ରଭୁଙ୍କ ସୁନାବେଶରେ ଭଙ୍ଗା କିରିଟ ଲାଗି, ଘଟଣାର ତଦନ୍ତ ଦାବି କଲେ ଭକ୍ତ

ମହାପ୍ରଭୁଙ୍କ ଅଳଙ୍କାର ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାପରେ ମଧ୍ୟ ସୁନାବେଶରରେ ମହାପ୍ରଭୁଙ୍କୁ ଭଙ୍ଗା ସୁନା କିରିଟ ଲାଗି ହେବା ଘଟଣାକୁ ବିରୋଧ କରିଛନ୍ତି ଶ୍ରଦ୍ଧାଳୁ । ବୁଧବାର ଅପରାହ୍ଣରେ ମହାପ୍ରଭୁ ଜଗନ୍ନାଥଙ୍କ ସହ ବଡ଼ଠାକୁର ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପାଇଁ ଏକକାଳୀନ ସୁବର୍ଣ୍ଣ ଅଳଙ୍କାର ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ଆସିଥିଲା । ଆସିବା ସମୟରେ ମହାପ୍ରଭୁଙ୍କ କିରୀଟ ସମ୍ପୂର୍ଣ୍ଣ ଭଲ ଥିଲା । ୨୧ଟି ସୁନାର ପାଖୁଡ଼ା କିରିଟରେ ଲାଗିଥିଲା । କିରୀଟର ଦୁଇ ପାର୍ଶ୍ୱରେ ଅର୍ଥାତ ପାଖୁଡ଼ାର ଶେଷ ଦୁଇ ପାର୍ଶ୍ୱରେ ହାତୀ ମୁଣ୍ଡ ରହିଥିଲା ।

କିନ୍ତୁ ମହାପ୍ରଭୁଙ୍କ ଲାଗି ପରେ ସୁନା କିରିଟର ଦୁଇଟି ହାତୀ ମୁଣ୍ଡ ଓ ସୁନାର ୨୦ଟି ପାଖୁଡ଼ା ରହିଥିବା ଦେଖିବାକୁ ମିଳିଥିଲା । ବାମ ପାର୍ଶ୍ୱରୁ ସୁନାର ତୃତୀୟ ପାଖୁଡ଼ା ଗାଏବ ଥିବା ଦେଖିବାକୁ ମିଳିଥିଲା । କିରୀଟର ଏହି ଭଙ୍ଗା ସ୍ଥାନକୁ ଲୁଚାଇବା ପାଇଁ ଏଥିରେ ମଲ୍ଲି ଫୁଲର ମାଳ ଲଗାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ମହାପ୍ରଭୁଙ୍କ ସୁନାବେଶରେ ଭଙ୍ଗା କିରିଟ ଲାଗିବାକୁ ନେଇ ଏବେ ପ୍ରଶ୍ନ ଉଠିବାକୁ ଲାଗିଛି । ଘଟଣାର ତଦନ୍ତ ଦାବି ହୋଇଛି। ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ସେବାୟତଙ୍କ ବିରୋଧ ରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details