ପୁରୀ:ଶ୍ରୀମନ୍ଦିରରେ ଦିନକୁ ଦିନ ସେବାୟତଙ୍କ କୋଭିଡ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ଶ୍ରୀମନ୍ଦିରରେ ମୋଟ ୧୪୨ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଶ୍ରୀମନ୍ଦିର ସେବାୟତଙ୍କ ଭିତରେ ବଢ଼ୁଛି କୋଭିଡ ସଂକ୍ରମଣ ଶ୍ରୀମନ୍ଦିରରେ ବର୍ତ୍ତମାନ ସୁଦ୍ଧା ୬୩ଜଣ ସେବାୟତ ଓ ତାଙ୍କ ପରିବାରର ୩୩ଜଣଙ୍କୁ ମିଶାଇ ମୋଟ ୯୬ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଓ ଜୋତାଷ୍ଟାଣ୍ଡ କର୍ମଚାରୀଙ୍କୁ ମିଶାଇ ମୋଟ ୧୪୨ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ଭିତରୁ ୭୦ଜଣ ସୁସ୍ଥ ହୋଇଥିବାବେଳେ ଅବଶିଷ୍ଟ ୭୦ଜଣ ହୋମ ଆଇସୋଲେସନ ଓ ନୀଳାଚଳ କୋଭିଡ କେୟାର ହୋମରେ ରହିଛନ୍ତି।ସେବାୟତଙ୍କ ଟୀକାକରଣ ପାଇଁ ଦୋଳମଣ୍ଡପ ସାହିସ୍ଥିତ ବୈକୁଣ୍ଠଧାମରେ ଆଉ ଏକ ଟୀକାକରଣ କେନ୍ଦ୍ର ଖୋଲାଯାଇଛି।ଇତିମଧ୍ୟରେ ୪୫ବର୍ଷରୁ ଉର୍ଦ୍ଧ୍ବ ୧୯୯୦ଜଣ ସେବାୟତଙ୍କୁ ପ୍ରଥମ ପର୍ଯ୍ୟାୟ ଓ ୫୭୮ଜଣକୁ ଦ୍ଵିତୀୟ ପର୍ଯ୍ୟାୟ ଟୀକା ଦିଆସରିଛି।
ଅନ୍ୟପଟରେ ଶ୍ରୀମନ୍ଦିର ସେବାୟତଙ୍କୁ ଟୀକାକରଣ ପାଇଁ ଟୋକନ ବ୍ୟବସ୍ଥା ଆରମ୍ଭ ହୋଇଛି।ଟୀକାକରଣ ଅପେକ୍ଷାରେ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଟୋକନ ଯୋଗାଇଛି ଯେଉଁଥିରେ ସିରିଏଲ ନମ୍ବର ଉଲ୍ଲେଖ ରହିଛି।ସିରିଏଲ ନମ୍ବର ଅନୁସାରେ ଟୀକାକରଣ କେନ୍ଦ୍ର ଦାୟିତ୍ୱରେ ଥିବା କର୍ମଚାରୀ ସଂପୃକ୍ତ ସେବାୟତଙ୍କ ନାମ ଡାକିବା ପରେ ସେ ଅନୁଯାୟୀ ଟୀକା ଦିଆଯିବ। ସେପଟେ ଲକଡାଉନ ସମୟ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତି ଓ ଅକ୍ଷୟ ତୃତୀୟା ନୀତି ରହିଛି। ଏଣୁ ପୂର୍ବ ବର୍ଷ ଭଳି ଏହି ନୀତି ଶ୍ରୀମନ୍ଦିର ଭିତରେ ହେବକି ବାହାରେ ହେବ ସେ ନେଇ ଚର୍ଚ୍ଚା ଚାଲିଚି। ତେବେ ଅସନ୍ତା 6 ତାରିଖ ଏ ନେଇ ଏକ ବୈଠକ ଥିବା ବେଳେ ଏ ନେଇ ଚୁଡାନ୍ତ ନିଷ୍ପତ୍ତି ହେବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ