ପୁରୀ: ଶ୍ରୀମନ୍ଦିରରେ ଲାଗୁ ହେଲା ନୂଆ ଏସଓପି । ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଟିଲା କୋଭିଡ୍ କଟକଣା। ଏଣିକି ଆଉ ଜଗା ଦର୍ଶନ ପାଇଁ ଦରକାର ପଡିବନି କୋଭିଡ ଟିକାର ପ୍ରମାଣପତ୍ର (Devotees can visit the Puri Srimandir without a Covid vaccination certificate ) । ଆଜି ଠାରୁ ବିନା କୋଭିଡ ପ୍ରମାଣପତ୍ରରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । କାଳିଆକୁ ଦର୍ଶନ କରି ଭାବ ବିହ୍ବଳ ଭକ୍ତ । ନୀତି ସେବକ କମିଟି ଓ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପାଇଁ ଏହି ନୂଆ ମାର୍ଗଦର୍ଶିକା ଜାରି ହୋଇଛି।
ଆଜିଠାରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଟୀକା ପ୍ରମାଣ ପତ୍ରର ଆଵଶ୍ୟକତା ନାହିଁ । ଶ୍ରଦ୍ଧାଳୁଙ୍କୁ କିଓସ୍କରେ ଧାଡ଼ିରେ ମଧ୍ୟ ଛିଡ଼ା ହେବାକୁ ପଡିବନି। କିଅସ୍କ ହଟିବା ପରେ ଶ୍ରଦ୍ଧାଳୁଙ୍କୁ ଆଉ ଲମ୍ବା ସମୟ ପ୍ରତୀକ୍ଷା କରିବାକୁ ପଡୁନାହିଁ । ନୂତନ ମାର୍ଗଦର୍ଶିକା ଅନୁଯାୟୀ ଜଗା ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ପ୍ରବେଶ ପାଇଁ କୋଭିଡ ପ୍ରମାଣ ପତ୍ରର ଆଵଶ୍ୟକତା ଆଉ ନାହିଁ । ନୂତନ ମାର୍ଗଦର୍ଶିକା ଅନୁଯାୟୀ ସକାଳ 6 ରୁ ରାତ୍ରି 9 ପର୍ଯ୍ୟନ୍ତ ଦର୍ଶନର ସୁବିଧା ପାଇବେ ଶ୍ରଦ୍ଧାଳୁ ।
ପୂର୍ବ ଭଳି ପୂର୍ବ ଦ୍ବାର ତଥା ସିଂହ ଦ୍ବାର ଦେଇ ଶୃଙ୍ଖଳିତ ଭାବେ ଧାଡିରେ ଶ୍ରୀମନ୍ଦିର ପ୍ରବେଶ କରିବା ସହ ଉତ୍ତର ଓ ଦକ୍ଷିଣ ଦ୍ବାରରେ ପ୍ରସ୍ଥାନ କରୁଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଶାସନ ତରଫରୁ ସ୍ବତନ୍ତ୍ର ଧାଡିର ବ୍ୟବସ୍ଥା କରାଯାଇଛି । ଧାଡିରେ ଦର୍ଶନ ପାଇଁ ଯାଉଥିବା ସମସ୍ତ ଭକ୍ତଙ୍କ ପାଇଁ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ।