ପୁରୀ: କୋରୋନା ସତର୍କତା ନେଇ ରାଜ୍ୟ ସରକାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ଶୁକ୍ରବାର ଠାରୁ ବନ୍ଦ କରିଛନ୍ତି । ଏପ୍ରିଲ ଏକ ତାରିଖ ଯାଏଁ ଏହି କଟକଣା ରହିବ । ତେବେ ଏହି ନିଷ୍ପତ୍ତିର ସିଧାସଳଖ ପ୍ରଭାବ ପଡିଛି ଶ୍ରୀମନ୍ଦିରର ସେବାୟତଙ୍କ ଉପରେ । ଭକ୍ତ ମାନେ ଶ୍ରୀମନ୍ଦିର ଆସିଲେ ଅନେକ ସେବାୟତ ସବୁଦିନ ଭକ୍ତଙ୍କୁ ଶ୍ରୀମନ୍ଦିରରେ ବିଭିନ୍ନ ଦେବାଦେବୀ ମନ୍ଦିର ବୁଲାଇ ଓ ଭୋଗ କରାଇ କିଛି ଅର୍ଥ ଉପାର୍ଜନ କରନ୍ତି । ଯେଉଁଥିରେ ତାଙ୍କ ଘରର ଗୁଜୁରାଣ ମେଣ୍ଟି ଥାଏ । କାରଣ ସେବାୟତ ମାନେ ଅନ୍ୟ କୌଣସି କର୍ମ କରନ୍ତି ନାହିଁକି ଅନ୍ୟ ରୋଜଗାର ବିକଳ୍ପ ବ୍ୟବସ୍ଥା କି ନିଜସ୍ବ ଜମି ବାଡ଼ିବି ନାହିଁ । ତେବେ କୋରୋନା କଟକଣାକୁ ନେଇ ସାଧାରଣ ଦର୍ଶନ ବନ୍ଦ ପରେ କେମିତି ରୋଜଗାର ହେବ ଏବଂ କେମିତି ଘର ଚଳିବ ସେନେଇ ସେବାୟତ ମାନେ ବଡ଼ ଚିନ୍ତାରେ ।
ସୂଚନା ଅନୁଯାୟୀ, ଶ୍ରୀମନ୍ଦିରରେ 36 ଟି ସେବାୟତ ନିଯୋଗ ରହିଛି । ଏହି 36 ଟି ନିଯୋଗର ଥିବା ବିଭିନ୍ନ ସେବାୟତ ତଥା ପାଖାପାଖି 10 ହଜାର ସେବକ ଶ୍ରୀମନ୍ଦିର ଉପରେ ନିର୍ଭର କରନ୍ତି । ବିଭିନ୍ନ ସେବା ପୂଜା ସମେତ ଭକ୍ତ ଓ ଯାତ୍ରୀଙ୍କୁ ଶ୍ରୀମନ୍ଦିର ବୁଲାଇ କିଛି ଅର୍ଥ ଉପାର୍ଜନ କରିଥାନ୍ତି ।