ପୁରୀ:ଶେଷ ହେଲା ତିନି ରଥର ଦୁଆର ବେଢା କାର୍ଯ୍ୟ । ରଥଯାତ୍ରା ପାଇଁ ରଥ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ତିନି ରଥର ମୋଟ ୧୨ ଗୋଟି ଦୁଆର ବେଢା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ରଥର ବେଦୀ ସମ୍ମୁଖ ଭାଗରେ ପଟ୍ଟା ଵାଡ଼ିଆ କାର୍ଯ୍ୟ ସରିଛି । ରଥର ଚାରି କୋଣଗୁଡିକୁ ଛାଡି ବେଦୀ ଚାରି ପାର୍ଶ୍ୱରେ ପଟ୍ଟା ପଡିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ।
ସେହିପରି ତିନି ରଥର ସିଂହାସନ ବେଦୀ ପ୍ରସ୍ତୁତ ପାଇଁ ଆଗଆଣି ପଛଆଣି ଦ୍ବୟ ଢମକ ଉପରେ ପାଞ୍ଚୋଟି 'ଜଗତପୃଷ୍ଠ ଶେଣୀ' ପଡ଼ିଛି । ଏହାପରେ ଉଭୟ ପାର୍ଶ୍ୱରେ ୩ଟି ଲେଖାଏଁ 'ବାହୁଟ ଫାଳିଆ' ପଡି ସିଂହାସନ ବେଦୀ ନିର୍ମାଣ ପାଇଁ ପତା ପଡିବ । ପ୍ରଭା ଫ୍ରେମ ନିର୍ମାଣ ଶେଷ ହୋଇଛି । ତିନି ରଥର ଶେଷ ହୋଇଥିବା ଦୁଆର ବେଢାରେ ଚିତ୍ରକର ସେବକମାନେ ରୂପ ଅଙ୍କନ ପାଇଁ ପ୍ରାଇମର ଦେଇଛନ୍ତି । ଏଥିସହ ରଥଗୁଡିକର ରୂପ ଖୋଦେଇ ଗୁଜ, ପଟ୍ଟା ଗୁଜଗୁଡିକରେ ରୂପଚିତ୍ର ଅଙ୍କନ କରୁଛନ୍ତି ।