ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ରଥଯାତ୍ରା । ତେବେ ରଥଯାତ୍ରାକୁ ସୁପ୍ରିମକୋର୍ଟରୁ ଅନୁମତି ମିଳିବା ପରେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି ପ୍ରକ୍ରିୟା । ରଥଯାତ୍ରା ପାଇଁ ପୁରୀ ଜିଲ୍ଲାକୁ ସୋମବାର ରାତି 9ଟାରୁ ବୁଧବାର ଦିନ 2ଟା ଯାଏଁ ସଟଡାଉନ ଘୋଷଣା କରାଯାଇଛି । ଏହି ସଟଡାଉନ କର୍ଫ୍ୟୁ ଭଳି କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ଡିଜିପି । ଏହି ସମୟରେ ପୁରୀ ଜିଲ୍ଲାକୁ କୌଣସି ବାହାର ଲୋକ ଯିବେନାହିଁ ବୋଲି ନିର୍ଦ୍ଦେଶ ରହିଛି । ସେହିପରି ରଥଯାତ୍ରା ପାଇଁ 75 ପ୍ଲାଟୁନ ପୋଲିସ ମୁତୟନ ହେବେ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷେ ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟର ତାଲିକା ପ୍ରକାଶ କରାଯାଇଛି । ମଙ୍ଗଳବାର ଭୋର 3ଟାରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ ହେବାକୁ ଥିବାବେଳେ 3ଟା 15ରେ ମଇଲମ, 3ଟା 30ରେ ତଡପଲାଗି ପରେ ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଆଦି ନୀତି କରାଯିବ । ସେହିପରି ସକାଳ 6ଟା 45ରେ ମଙ୍ଗଳାର୍ପଣ ପରେ ସାକାଳ 7ଟାରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ଆରମ୍ଭ ହେବ ।