ପୁରୀ: ପିଢି ପରେ ପିଢି ଜନ୍ମ ନେବ ପୁଣି ସମୟ ସ୍ରୋତରେ ବିଦାୟ ନେଇଯିବ । ଦିନ, ବର୍ଷ, ମାସ, ଯୁଗ ବଦଳିଯିବ କିନ୍ତୁ ଜଗନ୍ନାଥ ରହିଥିବେ, କାଳିଆ ସାଆନ୍ତର ପରମ୍ପରା ଏମିତି ଚାଲୁଥିବ । ସେଇଥିପାଇଁ ତ ସମୟ ଥାଉ ଥାଉ ବାପ ପୁଅକୁ, ଜେଜେ ନାତିର ହାତ ଧରି ଶିଖାଇ ଦେଉଛି କିପରି ରଥ ପାଇଁ ଖୋଦେଇ ହୁଏ ସିଂହ ବରାଳ, ନର ବରାଳ ଆଉ କେମିତି ହୁଏ ତୁମ୍ବ ବିନ୍ଧ କାର୍ଯ୍ୟ । 5 ବର୍ଷର ପିଲାମାନଙ୍କୁ ରଥଖଳାକୁ ଆଣି ନିର୍ମାଣ କଳା ଶିକ୍ଷା ଦେଉଛନ୍ତି ।
ମହାପ୍ରଭୁଙ୍କ ରଥଖଳାରେ କୁନି ରୂପକାର ସେବକ, ପୂର୍ବପିଢିଠୁ ଶିଖୁଛନ୍ତି ସେବାର ସୂତ୍ର ପରେ ଏହି ଛୋଟ ପିଲାମାନେ ବର୍ଷ ବର୍ଷ ଧରି କାର୍ଯ୍ୟ କରି ଦକ୍ଷତା ହାସଲ ପରେ ଯୁବକ ସମୟରେ ରଥ ନିର୍ମାଣ ଦାୟିତ୍ୱ ନେବେ, ଏହି ଭରସାରେ ରଥଖଳାକୁଆସୁଛନ୍ତି କଅଁଳ ଛୁଆ । ଏହି ପ୍ରଥା ପିଢ଼ି ପରେ ପିଢ଼ି ଚାଲି ଥିବାବେଳେ ମହାପ୍ରଭୁଙ୍କ ରଥ ନିର୍ମାଣ ଯୁଗ ଯୁଗ ଧରି ଶୃଙ୍ଖଳିତ ଭାବେ ଚାଲୁ ରହିଛି । ଏଇ ଯେମିତି ତାଳଧ୍ୱଜ ରଥର ରୂପକାର ସେବକ ଗଣେଶ୍ୱର ମହାପାତ୍ର । ବୟସ 81 ଛୁଇଁଲାଣି । ତଥାପି ବୟସକୁ ଖାତିର ନ କରି ପାରମ୍ପରିକ ମୁଗୁର, ବଟାଳି ଧରି ମହାପ୍ରଭୁଙ୍କ ରଥ ପାଇଁ ବିଭିନ୍ନ ଖୋଦେଇ କାର୍ଯ୍ୟ କରୁଛନ୍ତି ।
ତଥାପି କାଳ ଆସି ପହଞ୍ଚିବା ପୂର୍ବରୁ ଦୁଇ ନାତି ଓମ ଏବଂ ଦିବ୍ୟାଂଶୁଙ୍କ ହାତ ଧରି ଶିଖାଉଛନ୍ତି ମହାପ୍ରଭୁଙ୍କ ରଥନିର୍ମାଣ କାର୍ଯ୍ୟ । କିପରି ମହାପ୍ରଭୁଙ୍କ ରଥ ପାଇଁ ଖୋଦେଇ ହୁଏ ସିଂହ ବିରାଳ, ନର ବିରାଳ, କୋଣ ଗୁଜ, ନାଟ ଗୋଡ଼, ପ୍ରଭା ନିର୍ମାଣ କରାଯାଏ ତାହା ଶିକ୍ଷା ଦେଉଛନ୍ତି । ସେପଟେ ନାତିମାନେ ବି ବେଶ ଖୁସି । ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ତାଙ୍କର ବଂଶ ପରମ୍ପରା ହୋଇ ଥିବାବେଳେ ସେମାନେ ବଡ଼ ହୋଇ ମହାପ୍ରଭୁଙ୍କ ରଥ ନିର୍ମାଣରେ ନିୟୋଜିତ ହେବେ ବୋଲି କହିଛନ୍ତି । ଏପରିକି ବଡ଼ ହେଲେ ଯଦି ଚାକିରି ବି କରନ୍ତି ତେବେ ରଥ ନିର୍ମାଣ ସମୟରେ ଛୁଟି ନେଇ ଆସିବେ ବୋଲି ଗଣେଶ୍ୱରଙ୍କ ନାତି ଓମ୍ କହିଛନ୍ତି ।
ସତରେ ରଥଖଳାର ଏ ଦୃଶ୍ୟ ବତାଉଛି ବଡ ଠାକୁରର ସେବା ପାଇଁ ଲୋଡା ହୁଏନି ଶକ୍ତି, ସାମର୍ଥ୍ୟ କି ବୟସ, କେବଳ ଆବଶ୍ୟକ ଟିକିଏ ଭକ୍ତି ଆଉ ଆବେଗ । ଏହିପରି ମହାପ୍ରଭୁ ଏବଂ ତାଙ୍କ ପରମ୍ପରା ଯୁଗେ ଯୁଗେ ରହିଥାଉ ବୋଲି ସଭିଙ୍କ କାମନା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ