ପୁରୀ: ଆସନ୍ତା 14 ଠାରୁ ଆରମ୍ଭ ହେବାକୁ ଯାଉଛି କାର୍ତ୍ତିକ ମାସ । ଏନେଇ ଆଜି ଅନୁଷ୍ଠିତ ହୋଇଯାଇଛି ଛତିଶା ନିଯୋଗ ବୈଠକ । ମୁଖ୍ୟତଃ ଧର୍ମ ମାସ କାର୍ତ୍ତିକରେ ଶ୍ରୀମନ୍ଦରିରେ ଶୃଙ୍ଖଳିତ ନୀତିକାନ୍ତି ହୋଇପାରିବ ସେନେଇ ଆଲୋଚନା ହୋଇଛି । ଏହି ବୈଠକରେ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ, ପୁରୀ ଏସପି ଉମାଶଙ୍କର ଦାସଙ୍କ ସମେତ ଛତିଶା ନିଯୋଗର କର୍ମକର୍ତ୍ତା ଯୋଗ ଦେଇଥିଲେ ।
ଆସନ୍ତା 9 ତାରିଖରୁ କାର୍ତ୍ତିକ ନିତି ଶ୍ରୀମନ୍ଦିରରେ ଆରମ୍ଭ ହେବ । ଏହା ଆସନ୍ତା ମାସ 12 ତାରିଖରେ ଶେଷ ହେବ । ଏଣୁ କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି,ପଞ୍ଚୁକରେ ଠାକୁରଙ୍କ ବେଶ କିଭଳି ହୋଇ ପାରିବ ସେନେଇ ନିଷ୍ପତି ହୋଇଛି ।
ସେହିପରି ଆସନ୍ତା 14 ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଛି । ଏଥର ତିନିଟି ଜାଗାରେ ଯଥା ରେଲୱେ ଯାତ୍ରୀ ନିବାସ, ହବିଷ୍ୟାଳି ନୂଆ ବିଲ୍ଡିଂ ଓ ମୋଚି ସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳି ରହିବେ । ସେଠାରେ କିଭଳି ହବିଷ୍ୟାଳି ମାନେ ସଠିକ ସମୟରେ ମହାପ୍ରସାଦ ପାଇ ପାରିବେ ସେନେଇ ସୁଆର ମହାସୁଆର ନିଯୋଗ ସହିତ ଆଲୋଚନା ହୋଇଛି ।