ପୁରୀ:ଆଜି ଠୁ ଖୋଲିବ ଶ୍ରୀମନ୍ଦିର । କୋଭିଡ କଟକଣା ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ । ପୂର୍ବଭଳି କେବଳ ରବିବାର ଭକ୍ତଙ୍କ ପାଇଁ ବନ୍ଦ ରହିବ ଜଗା ଦୁଆର । ରାଜ୍ୟରେ ଓମିକ୍ରନ ଆତଙ୍କ ପରେ ଜାନୁଆରୀ ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଦର୍ଶନ ।
ବାହାରୁ ଆସୁଥିବା ଭକ୍ତମାନେ ସିଂହଦ୍ଵାର ଦେଇ ପ୍ରବେଶ ଓ ପୁରୀ ପୋରାଞ୍ଚଳ ବାସିନ୍ଦାମାନେ ପଶ୍ଚିମ ଦ୍ଵାର ଦେଇ ପ୍ରବେଶ କରିବେ । ଦର୍ଶନ ପାଇଁ RT-PCR ନେଗେଟିଭ ରିପୋର୍ଟ ଅଥବା କୋଭିଡ ଡବଲ ଡୋଜ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ପୂର୍ବ ପରି ଭୋର ସାଢେ ପାଞ୍ଚଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । କିନ୍ତୁ ଦର୍ଶନ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବଶୀଘ୍ର SOP ଜାରି କରାଯିବ ।
ଗତ ଶୁକ୍ରବାର ଭର୍ଚୁଆଲ ମୋଡ଼ରେ ବସିଥିଲା ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ଯିବ କି ନାହିଁ ସେନେଇ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଏହି ବୈଠକ ହୋଇଥିଲା ।