ପୁରୀ :ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ବାହିନୀ ପକ୍ଷରୁ ଅନୁଷ୍ଠିତ ହେଲା ରଥଟଣାର ମକଡ୍ରିଲ । ପୁରୀ ରିଜର୍ଭ ପୋଲିସ ଲାଇନ ପଡିଆରେ ପୋଲିସ ପକ୍ଷରୁ ରଥଟଣା, ଭିଡ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷାର ଅଭ୍ୟାସ କରାଯାଇଛି । ଅତିରିକ୍ତ ପୋଲିସ ଡିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୋଲିସ କର୍ମଚାରୀ ଉପସ୍ଥିତିରେ ଏହି ରଥଟଣାର ଅଭ୍ୟାସ କରାଯାଇଥିଲା ।
ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ହେଉଛି ରଥଯାତ୍ରା। ପ୍ରବଳ ଭକ୍ତଙ୍କ ସମାଗମକୁ ଆଶା କରି ପୋଲିସ ଓ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରିଜର୍ଭ ପୋଲିସ ଲାଇନ ପଡିଆରେ ସମ୍ପୂର୍ଣ୍ଣ ରଥଟଣାର ମକଡ୍ରିଲ ଓ ଅଭ୍ୟାସ କରାଯାଇଛି । ଭିଡ ଭିତରେ ରଥ ଗୁଡିକ କିଭଳି ଟଣା ଯିବ, ଇନର ଓ ଆଉଟଡୋର କର୍ଡନ କିଭଳି ରହିବ ଓ ମାଜିଷ୍ଟ୍ରେଟଙ୍କ ଦ୍ବାରା ରଥ କିଭଳି ନିୟନ୍ତ୍ରଣ କରାଯିବ ତାହାର ଅଭ୍ୟାସ ଓ ପ୍ରଶିକ୍ଷଣ କରାଯାଇଥିଲା ।
ଏହି ଅଭ୍ୟାସରେ ମାଜିଷ୍ଟ୍ରେଟ, ପୋଲିସ, ଏସଓଜି ଯବାନମାନେ ସାମିଲ ହୋଇଥିଲେ। ତିନୋଟି ପୋଲିସ ଜିପକୁ ତିନି ରଥ ଭାବେ ପ୍ରତୀକାତ୍ମକ ଭାବେ ରଖାଯାଇ ରଥ ଟଣାଯାଇଥିଲା । ପ୍ରବଳ ଭକ୍ତଙ୍କ ସମାଗମକୁ ଆଶା କରି ଚଳିତ ବର୍ଷ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଚଳିତ ବର୍ଷ ଅନେକ ନୂଆ ପୋଲିସ ଅଧିକାରୀ ଓ କର୍ମଚାରୀ ରଥଯାତ୍ରାରେ ସାମିଲ ହୋଇଥିବାରୁ ସେମାନଙ୍କୁ ଏହି ମକଡ୍ରିଲରେ ପ୍ରଶିକ୍ଷଣ ଦିଆଯାଇଛି।