ପୁରୀ: ଆଜି ଅନବସର ଦଶମୀ । ଶ୍ରୀମନ୍ଦିର ଅଣସର ଗୃହରେ ଶ୍ରୀଜୀଉଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେବ । ସ୍ନାନ ପୂର୍ଣ୍ଣିମା ଦିନଠାରୁ ଅସୁସ୍ଥ ହୋଇଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଅନବସରରେ ଚାଲିଛି ଗୁପ୍ତନୀତି । ଦଇତାପତି ସେବାୟତମାନେ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ଲାଗି ପଡିଛନ୍ତି । ମହାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ଦଶମୂଳକ ଲାଗି କରାଯିବ ।
ମହାପ୍ରଭୁଙ୍କ ଶରୀର ଖଇଫୁଟା ତାତିରେ କମ୍ପୁଥିବା ବେଳେ ଉପଷମ ପାଇଁ ବଡ ଓଡିଆ ମଠରେ ପ୍ରସ୍ତୁତ ଫୁଲୁରୀ ତେଲ ଲାଗି ହୋଇଥିଲା । ଏହା ପରେ ଶ୍ରୀଜୀଉଙ୍କ ଶରୀରରୁ ତାତି ଧିରେ ଧିରେ କମିଛି । ହେଲେ ମହାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ଦଶମୂଳକ ଲାଗି କରାଯିବ । ଗଜପତି ମହାରାଜଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ଦଶମୂଳକ ପ୍ରସ୍ତୁତ କରାଯାଇଛି । ରାଜବୈଦ୍ୟମାନେ ଶାଳପୂର୍ଣ୍ଣ, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଅଗବଥ, ଗୋଖରା, ନବାଙ୍କଡି, ଆଦିକୁ ଚୂର୍ଣ୍ଣ କରି ସେଥିରେ ଖୁଆ, ଘିଅ, ମହୁ, ଭାଙ୍ଗ, ନବାତରେ ଗୋଳେଇ ମୋଦକ ପ୍ରସ୍ତୁତ କରିଛନ୍ତି ।