ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି । ତିନି ରଥର ଆବଶ୍ୟକ ୪୨ଟି ଚକ ମଧ୍ୟରୁ ୩୭ଟି ଚକ ନିର୍ମାଣ ଶେଷ ହୋଇଛି । ଆଜିଠାରୁ ଦଣ୍ଡା ନିର୍ମାଣ ଅନୁକୂଳ ହୋଇଛି । ଏଥି ସହ ବିଶ୍ବକର୍ମା ମହାରଣା ମାନେ ତିନି ରଥର ଚାରି ନାହାକା ଚଉପଟ କାର୍ଯ୍ୟ କରୁଛନ୍ତି । ରଥର ଉପରିଭାଗ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ବାୟୋବବଲ ଜୋନ ମଧ୍ୟରେ ରଥ ନିର୍ମାଣ ସକାଳୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହୁଛି । ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ଜୋର ଧରିଛି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୧୬ଟି ଚକରୁ ୧୪ଟି, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥର ୧୪ଟି ଚକରୁ ୧୨ଟି ଓ ମା ସୁଭଦ୍ରାଙ୍କ ୧୨ଟି ଚକରୁ ୧୧ଟି ଚକକୁ ମିଶାଇ ମୋଟ 37ଟି ଚକ ନିର୍ମାଣ ସରିଥିବା ବେଳେ ଅବଶିଷ୍ଟ ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ। ଆସନ୍ତା ଶୀତଳଷଷ୍ଠୀ ଦିନ ତିନି ରଥର ସମସ୍ତ ୪୨ଟି ଚକ ସହ ୨୧ ଟି ଅଖ ସଂଯୋଗ କରାଯାଇ ଡେରା ଯିବ। ସେପଟେ ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ଚାରି ନାହାକା ଉଠିବାକୁ ଥିବାରୁ ନାହାକା ହାଣି ଚଉପଟ କରୁଛନ୍ତି ବିଶ୍ବକର୍ମା ମାନେ । ଦୋଳବେଦୀ ପରିସରରେ ପୋଲଗୟଳ କାମ ଚାଲିଛି। ଅଖ ଉପରେ ଦଣ୍ଡା ଉଠି ଗରଗରା ସ୍ଥାପନ ପରେ ଚାରି ନାହାକା ଉଠିବ। ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ରଥଖଳାକୁ ଯାଇ ରଥ ନିର୍ମାଣରେ ନିୟୋଜିତ ସେବକଙ୍କ ସହ ଆଲୋଚନା କରିଥିଲେ। ଦୋଳବେଦୀ କୋଣରେ କରତୀସେବକ ରଥର ପୋଲଗୟଳ କାମ କରୁଛନ୍ତି। ପୋଲଗୟଳ ସ୍ଥାପନ ହେଲେ ରଥ ଉପରକୁ ଚାରି ନାହାକା ଉଠିବ।