ପୁରୀ: ଶ୍ରୀମନ୍ଦିର ପାଞ୍ଜି ସମନ୍ଵୟ ବୈଠକରେ ୨୦୨୨-୨୩ ବର୍ଷର ଶ୍ରୀମନ୍ଦିର ପର୍ବପର୍ବାଣୀ ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ତାଲିକା ଅନୁଯାୟୀ, ଆସନ୍ତା ମେ ମାସ ୩ ତାରିଖରେ ଅକ୍ଷୟ ତୃତୀୟ ପଡୁଛି। ଏହି ଦିନ ରଥକାଠ ଅନୁକୂଳ ସହ ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହେବ । ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ମଧ୍ୟ ଏହି ଦିନଠାରୁ ଚାଲିବ । ମେ ମାସ ୨୨ ତାରିଖରେ ଭଉଁରୀ ପରେ ଜୁନ୍ ୧୪ରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ୧୦୮ ଗରା ସୁବାସିତ ଜଳରେ ସ୍ନାନ ଯୋଗୁଁ ଜ୍ବର ପୀଡିତ ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୧ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା ।
ଏପ୍ରିଲ ୪ରେ ଦୟଣାଚୋରି ନୀତି, ଏପ୍ରିଲ ୧୫ରୁ ସାହିଯାତ, ମେ ୧୪ରେ ନୃସିଂହ ଜନ୍ମ, ମେ ୩୦ରେ ସାବିତ୍ରୀ ଅମାବାସ୍ୟା, ଜୁନ ୫ରେ ଶୀତଳ ଷଷ୍ଠୀ, ଜୁନ୍ ୧୦ରେ ରାଜେନ୍ଦ୍ରାଭିଷେକ ନୀତି, ୧୧ରେ ଋକ୍ମିଣୀହରଣ ଏକାଦଶୀ, ବିବାହ ମହୋତ୍ସବ ଓ ଜଳକ୍ରୀଡ଼ା, ୧୨ରେ ଚମ୍ପକ ଦ୍ଵାଦଶୀ ଓ ଦଇତାପତି ପ୍ରବେଶ ନୀତି, ୧୩ରେ ସେନାପଟା ଲାଗି, ଜୁନ୍ ୨୩ରେ ଚକାବିଜେ ନୀତି ପରେ ୨୭ ତାରିଖ ପର୍ଯ୍ୟନ୍ତ ଅନବସର ନୀତି ଚାଲିବ । ଜୁନ୍ ୨୯ରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ ।
ଜୁନ୍ ୩୦ରେ ରଥ ଆଜ୍ଞାମାଳ ବିଜେ ଓ ଉଭାଯାତ୍ରା ନୀତି ଅନୁଷ୍ଠିତ ହେବ । ଜୁଲାଇ ୧ରେ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ହେବ । ଜୁଲାଇ ୫ରେ ହେରାପଞ୍ଚମୀ, ୮ରେ ସନ୍ଧ୍ୟାଦର୍ଶନ, ୯ରେ ବାହୁଡ଼ା ଯାତ୍ରା, ୧୦ରେ ସୁନାବେଶ ଓ ହରିଶୟନ ଏକାଦଶୀ, ୧୧ରେ ଅଧରପଣା ଓ ଗରୁଡ଼ ଶୟନ ନୀତି, ୧୨ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ । ଜୁଲାଇ ୧୭ରେ ଦକ୍ଷିଣାୟନ ସଂକ୍ରାନ୍ତି, ୨୪ରେ କାମଦା ଏକାଦଶୀ, ୨୮ରେ ଚିତାଲାଗି ଅମାବାସ୍ୟା, ଅଗଷ୍ଟ ୬ରେ ବାଡ଼ି ନୃସିଂହ ବିଜେ ନୀତି, ୧୩ରେ ଝୁଲଣ ଯାତ୍ରା, ୧୬ରେ ରାହୁରେଖା ଲାଗି, ୧୮ରେ ଶ୍ରୀକୃଷ୍ଣ ଜନ୍ମନୀତି ସଙ୍ଗେ ସଙ୍ଗେ ଏହା ପରଠାରୁ ମହାପ୍ରଭୁଙ୍କ ବିଭିନ୍ନ ବେଶ ଆରମ୍ଭ ସହ ୩୧ରେ ଗଣେଶ ଚତୁର୍ଥୀ ପାଳିତ ହେବ।