ପୁରୀ: ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚଢିଲେ ଯୁବକ । ଏହି ଯୁବ ଜଣକ ନୀଳଚକ୍ର ଉପରେ ଚଢିବା ସହ ପତିତପାବନ ବାନା କାଢିଦେଇଥିବା ସୂଚନା ମିଳିଛି । ଏହି ଯୁବକ ଜଣଙ୍କୁ ସିଂହଦ୍ବାର ଥାନା ପୋଲିସ ଅଟକ ରଖିଛି । ତେବେ କେମିତି ଓ କଣ ପାଇଁ ଯୁବକ ଜଣକ ନୀଳଚକ୍ର ଉପରକୁ ଚଢିଥିଲା ସେନେଇ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା ପୁରୀ ପୋଲିସ ଅଟକ ରଖିଥିବା ଯୁବକ ଜଣକ ହେଲେ ହତିଆ ମହନ୍ତ । ସେ ଭଦ୍ରକର ବାସିନ୍ଦା ବୋଲି ଜଣାପଡିଛି । ସେବାୟତମାନେ ସକାଳେ ଉକ୍ତ ଯୁବକକୁ ଧରି ପୋଲିସର ଜିମା ଦେଇଥିବା ଜଣାପଡିଛି ।
ତେବେ ଏତେ କଡା ନିରାପତ୍ତା ବ୍ୟବସ୍ଥା ସତ୍ତ୍ବେ କିଭଳି ଯୁବକ ଜଣକ ମନ୍ଦିର ଉପରେ ଚଢ଼ିଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ କିଛି ଦିନ ତଳେ ଶ୍ରୀମନ୍ଦିର ସୁଆର ନିଯୋଗ ଓ ରାମ ମନ୍ଦିରରୁ ଚୋରି ହୋଇଥିଲା । ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯିବ ବୋଲି ପୁରୀ ଏସପି କହିଥିଲେ ।
ବର୍ତ୍ତମାନ ପରିସ୍ଥିତିରେ ପୁଣି ଜଣେ ଯୁବକ ନୀଳଚକ୍ର ଉପରେ ଚଢ଼ିବା ସୁରକ୍ଷା ବ୍ୟବସ୍ଥା କେତେ ସୁଦୃଢ଼ ତାହା ପ୍ରମାଣିତ ହୋଇଛି । ତେବେ ପୋଲିସ ଏନେଇ କୌଣସି ପ୍ରତିକ୍ରିୟା ରଖିନାହିଁ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ