ପୁରୀ: ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ବରଗଡ଼ ଧନୁଯାତ୍ରାର କଂସ ମହାରାଜ । ଧନୁଯାତ୍ରା ସରିବା ପରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ବର ପ୍ରଧାନ ପାପର ପ୍ରାୟଶ୍ଚିତ ପାଇଁ ପୁରୀରେ ପହଞ୍ଚିଛନ୍ତି । କଂସ ଅଭିନୟ ସମୟରେ ପ୍ରଭୁ କୃଷ୍ଣଙ୍କୁ ଅପମାନିତ ଓ ବଧ କରିବାକୁ ଉଦ୍ୟମ କରିଥିବା ହେତୁ ସେ ଏହି ପାପର ପ୍ରାୟଶ୍ଚିତ ପାଇଁ ପୁରୀ ଆସିଛନ୍ତି ।
ମହୋଦଧିରେ ପାପ ଧୋଉଛନ୍ତି କସଂ ମହାରାଜ ପ୍ରଥମେ ଶଙ୍କରାଚାର୍ଯ୍ୟ ମଠକୁ ଯାଇ ଗୁରୁଜୀଙ୍କ ପାଦ ସ୍ପଶ କରିବା ସହ ମହୋଦଧିରେ ବୁଡ଼ ପକାଇଛନ୍ତି କଂସ । ଏଥିସହିତ ପଇତା ବିସର୍ଜନ କରବା ସହ ପ୍ରଭୂ ସୂର୍ଯ୍ୟଙ୍କୁ ପାଣି ଦେଇ ତର୍ପଣ କରିଛନ୍ତି ।
କଂସ ଅଭିନୟ କରିଥିବା ଭୁବନେଶ୍ବର ପ୍ରଧାନଙ୍କ କହିବା କଥା ସାଧାରଣ ମଣିଷ ପକ୍ଷେ ପ୍ରଭୁ କୃଷ୍ଣଙ୍କୁ ବଧ କରିବା ଅସମ୍ଭବ । ସେହିପରି ଧନୁ ଯାତ୍ରା ବେଳେ ସେ ଅଭିନୟରେ ପ୍ରଭୂ କୃଷ୍ଣ ଓ ବଳରାମ ଅନେକ ତିରସ୍କାର କରିଛନ୍ତି । ଯାହାକି ମହାପାପ । ଏଣୁ ସେ ନିମିତ୍ତ ମଣିଷଟିଏ ହୋଇଥିବାରୁ ଅଭିନୟ ସମୟରେ କରିଥିବା ପାପର ପ୍ରାୟଶ୍ଚିତ
କରିବା ପାଇଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛନ୍ତି ।
ପ୍ରଥମେ ମହୋଦଧିରେ ସ୍ନାନ ପରେ ଅପରାହ୍ନରେ ଶ୍ରୀମନ୍ଦିର ଯାଇ ପ୍ରଭୂ ଜଗନ୍ନାଥ, ବଳଭଦ୍ରଙ୍କୁ ଦର୍ଶନ କରି ତାଙ୍କର ପାପ ମୋଚନ ନେଇ ପ୍ରାର୍ଥନା କରିବେ । ପ୍ରତିବର୍ଷ ବରଗଡ଼ ଧନୁଯାତ୍ରା ଶେଷ ହେବା ପରେ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ଶ୍ରୀକ୍ଷେତ୍ର ଆସି ମହୋଦଧିରେ ସ୍ନାନ ସହ ମହାପ୍ରଭୁଙ୍କ ଦର୍ଶନ କରିବା ପରମ୍ପରା ରହିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ