ପୁରୀ:ସମାଜରୁ ମଣିଷପଣିଆ ହଜିଯାଉଥିବାବେଳେ ଆଜି ବି ବଞ୍ଚିଛି ସଚ୍ଚୋଟତା ଓ ସାଧୁତା । ଲୋଭ, ମୋହ, ମାୟା ଠାରୁ ଉର୍ଦ୍ଧ୍ବରେ ଅଛନ୍ତି ଅନେକ ମଣିଷ । ସ୍ବାଭିମାନ ଆଗରେ ସୁନା ଓ ରୂପା ଗହଣା ତୁଚ୍ଛ ବୋଲି ପରିଚୟ ଦେଇଛନ୍ତି ପର୍ଯ୍ୟଟନ ସହର ଶୀକ୍ଷେତ୍ର ପୁରୀର ଜଣେ ଅଟୋ ଚାଳକ(Auto rickshaw driver), ଯାହାଙ୍କ ନାମ ଶ୍ରବଣ କୁମାର ପ୍ରଧାନ ।
ପୁରୀକୁ ଆସିଥିବା ପର୍ଯ୍ୟଟକଙ୍କୁ ଆତିଥ୍ୟତାର ସ୍ବତନ୍ତ୍ର ପରିଚୟ ଦେଇ ତାଙ୍କର ସୁନାହାର ଓ ଅନେକ ସୁନା ଗହଣାକୁ ଫେରାଇ ଦେବା ସହ ସେ ସାଉଁଟିଛନ୍ତି ସେହ୍ନ, ଶ୍ରଦ୍ଧା ଓ ସମ୍ମାନ ।
ଶ୍ରବଣ ଗତ ମଙ୍ଗଳବାର ଚକ୍ରତୀର୍ଥ ରୋଡ୍ ସାଗର ତରଙ୍ଗ ହୋଟେଲ ଆଗରୁ ଏକ ବିବାହ ଏନଗେଜମେଣ୍ଟ ବା ନିର୍ବନ୍ଧ ପାଇଁ ଆସିଥିବା ବାଲେଶ୍ବର ପ୍ରମୋଦ କୁମାର ସିଂ ସାମନ୍ତଙ୍କ ବୋହୂ ଓ ପରିବାର ଲୋକଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ନିକଟ ନୃସିଂହ ମନ୍ଦିର ସମ୍ମୁଖରେ ଛାଡିଥିଲେ । ତରବର ହୋଇ ସେମାନେ ଅଟୋରୁ ଓହ୍ଲାଇ ନିର୍ବନ୍ଧରେ ଯୋଗଦାନ କରିବାକୁ ଚାଲି ଯାଇଥିଲେ । ତେବେ ଯେତେବେଳେ ବ୍ୟାଗ ଖୋଜନ୍ତି ସେଥିରେ ସୁନା ଗହଣା ନଥିବା ତାଙ୍କ ଶାଶୂଙ୍କୁ କହିବା ପରେ ଖୋଜା ପଡିଥିଲା । ଏପରିକି ଅନେକ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସୁନା ଗହଣା ମିଳିନଥିଲା । ପରେ ହୋଟେଲକୁ ଯାଇ ଆଖ ପାଖରେ ପଚାରିବା ପରେ ଜାଣିବାକୁ ପାଇଥିଲେ ଯେ ଜଣେ ଅଟୋଚାଳକ ସେହି ସୁନା ପାଇଥିବା ବେଳେ ଗହଣାସବୁକୁ ସେ ସମୁଦ୍ର କୂଳ ଥାନାରେ ଜିମା ଦେଇଛନ୍ତି ।