ପୁରୀ: ବାହୁଡା ଯାତ୍ରା ପାଇଁ ପୁରୀରେ ଲାଗିବ ୧୪୪ ଧାରା । ଆସନ୍ତା ୧୯ ତାରିଖ ସନ୍ଧ୍ୟା ୮ ଟାରୁ ୨୧ ତାରିଖ ସନ୍ଧ୍ୟା ୮ ଟା ଯାଏଁ ପୁରୀ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହେବ । ଏହି ସମୟ ମଧ୍ୟରେ ବଡଦାଣ୍ଡ, ବଡଦାଣ୍ତରେ ଥିବା ସମସ୍ତ କୋଠାଘରର ଛାତ ଓ ବାଲକୋନିରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।
ବଡଦାଣ୍ଡରେ ଥିବା ସମସ୍ତ ହୋଟେଲ, ଲଜିଂ, ଧର୍ମଶାଳା, ଗେଷ୍ଟ ହାଉସକୁ ଆସନ୍ତା ୧୮ ତାରିଖ ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମ୍ପୃକ୍ତ ସଂସ୍ଥା ମାଲିକ ଲିଖିତ ଭାବେ ସ୍ଥାନୀୟ ପୋଲିସକୁ ଅବଗତ କରାଇବେ । ବଡଦାଣ୍ଡରେ ଥିବା ଘରଗୁଡିକରେ ରହୁଥିବା ବାସିନ୍ଦାମାନଙ୍କ ସମ୍ପର୍କରେ ପୌରସଂସ୍ଥା ପକ୍ଷରୁ ତାଲିକା ପ୍ରସ୍ତୁତ କରାଯାଉଛି । କର୍ଫୁ ସମୟରେ ବିନା କାରଣରେ ତାଲିକାଭୁକ୍ତ ନଥିବା ବ୍ୟକ୍ତି ଉକ୍ତ ସ୍ଥାନରେ ରହୁଥିବା ଜଣାପଡିଲେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ । ଏହି ସମୟ ମଧ୍ୟରେ ବଡଦାଣ୍ଡରେ ଥିବା ସମସ୍ତ ଦୋକାନ ଓ ବଜାର, ଔଷଧ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ ବନ୍ଦ ରହିବ । ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ ମଧ୍ୟ କଟକଣା ଲାଗିଛି । କୌଣସି ଯାତ୍ରୀବାହୀ ବସ ଓ ଟ୍ରେନ ଜିଲ୍ଲା ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । କେବଳ ସ୍ବୀକୃତିପ୍ରାପ୍ତ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରୁଥିବା ଗାଡିକୁ ଛାଡିଦେଲେ ଅନ୍ୟ ଗାଡିଗୁଡିକର ଯାତାୟତ ଉପରେ ମଧ୍ୟ ଏହି କଟକଣା ବଳବତ୍ତର ରହିବ ।