ଓଡିଶା

odisha

ETV Bharat / city

ଚର୍ଚ୍ଚାରେ ନିମାପଡାର ବିକ୍ରମ, ଅସହାୟ ଦମ୍ପତ୍ତିଙ୍କୁ ଜନ୍ମଦିନରେ ଦେଲେ କୋଠାଘର ଉପହାର - ଅସହାୟ ଦମ୍ପତି

ଆଧୁନିକ ଢାଞ୍ଚାରେ ପଡ଼ି ଜନ୍ମଦିନରେ ସେ କୌଣସି ଦାମି ରେଷ୍ଟୁରାଣ୍ଟ ଯାଉନାହାନ୍ତି କି ବନ୍ଧୁମାନଙ୍କ ସହ ମଉଜ କରୁନାହାନ୍ତି । ପ୍ରତିବର୍ଷ ଜନ୍ମଦିନରେ ସେ ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି । ଆଉ ଚଳିତ ଜନ୍ମଦିନରେ ସେ ଅସହାୟ ଦମ୍ପତିଙ୍କୁ ନିଜ ଖର୍ଚ୍ଚରେ ଏକ କୋଠାଘର ତିଆରି କରି ଉପହାର ଦେଇଛନ୍ତି । ପୁରୀ ନିମାପଡ଼ାର ବିକ୍ରମ କେଶରୀ ସାମଲଙ୍କ ଏହି ମହତ କାର୍ଯ୍ୟକୁ ନେଇ ଦେଖନ୍ତୁ ଏହି ରିପୋର୍ଟ

ଅସହାୟ ଦମ୍ପତିଙ୍କୁ ହେଲେ ସାହା, ଜନ୍ମଦିନରେ କଲେ କୋଠାଘର ଗିଫ୍ଟ
ଅସହାୟ ଦମ୍ପତିଙ୍କୁ ହେଲେ ସାହା, ଜନ୍ମଦିନରେ କଲେ କୋଠାଘର ଗିଫ୍ଟ

By

Published : Aug 28, 2022, 5:05 PM IST

ନିମାପଡା(ପୁରୀ): ଆଡମ୍ବରରେ ଜନ୍ମଦିନ ପାଳନ ନ କରି ଅସହାୟ ଦମ୍ପତ୍ତିକୁ କୋଠା ଘର ଉପହାର ଦେଲେ ନିମାପଡାର ବିକ୍ରମ ସାମଲ । ନିଜ ଜନ୍ମଦିନରେ ଏପରି ଗୋଟିଏ ପରେ ଗୋଟିଏ ମହତ କାର୍ଯ୍ୟ କରି ସେ ଅନ୍ୟ ପାଇଁ ସାଜିଛନ୍ତି ଏକ ବଡ଼ ଉଦାହରଣ । ଖାଲି ଏହି ବର୍ଷ ନୁହେଁ ପ୍ରତିବର୍ଷ ସେ ଏପରି କାର୍ଯ୍ୟ କରି ଆସୁଛନ୍ତି । ବିକ୍ରମଙ୍କ ଏହି କାର୍ଯ୍ୟକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି ।

ଅସହାୟ ଦମ୍ପତିଙ୍କୁ ହେଲେ ସାହା, ଜନ୍ମଦିନରେ କଲେ କୋଠାଘର ଗିଫ୍ଟ

ଜନ୍ମ ଦିନରେ ସାଧାରଣତଃ ସମସ୍ତେ ବେଶ ଆଡମ୍ବରରେ ପାଳନ କରନ୍ତି । ବିପୁଳ ଟଙ୍କା ଖର୍ଚ୍ଚ କରି ଭୋଜି ଭାତ ଆୟୋଜନ ବି କରନ୍ତି । କିନ୍ତୁ ବିକ୍ରମ ଭିଡ଼ରୁ ଅଲଗା ହୋଇଛନ୍ତି । ମାନବ ସେବା ହିଁ ମାଧବ ସେବା'ର ପ୍ରକୃତ ଅର୍ଥ ବୁଝିଛନ୍ତି ସେ । ଅନ୍ୟକୁ ଉଦାହରଣ ଦିଅନି, ନିଜେ ଉଦାହରଣ ସାଜ ବାପାଙ୍କ ଏହି ଉକ୍ତିକୁ ସେ ଅକ୍ଷରେ ଅକ୍ଷରେ ପାଳନ କରି ସମାଜସେବାରେ ଲାଗିପଡ଼ିଛନ୍ତି ।

ଗ୍ରାମର ଅସହାୟ ଦମ୍ପତି ବେଣୁଧର ନାୟକ ଓ ପତ୍ନୀ ମାଗି ଦେଈ ଜରି ପାଲତଳେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଥିଲେ । ଜରି ପାଲ କଣା ହୋଇଯିବା ପରେ ବର୍ଷାଦିନେ ଅସୁବିଧା ଭୋଗିବାରୁ ଏକ ସ୍ଥାନରେ ବସି କାନ୍ଦୁଥିଲେ । ଏହି ସମୟରେ ବିକ୍ରମ ତାଙ୍କୁ ଦେଖିବା ପରେ ମହିଳାଙ୍କ ଦୁଃଖର କାରଣ ପଚାରି ବୁଝିଥିଲେ । ବାସ୍‌ ଏହା ପରେ ମହିଳାଙ୍କ ଦୁଃଖର ଅବସାନ ଘଟିଛି । ପ୍ରଥମେ ଜରିପାଲ କିଣିଦେବା ପରେ ଏକ କୋଠାଘର ନିର୍ମାଣ କରି ସେ ତାଙ୍କୁ ଉପହାର ଦେଇଛନ୍ତି ।

ଏ ନେଇ ବିକ୍ରମ କହିଛନ୍ତି, "ପ୍ରତିବର୍ଷ ଜନ୍ମଦିନରେ ମୁଁ କିଛି ଅଲଗା କରିବାକୁ ଚେଷ୍ଟା କରେ । ପିଲାଟି ଦିନରୁ ଏପରି କାର୍ଯ୍ୟ କରିବା ପାଇଁ ଇଚ୍ଛା ଥିଲା । ବାପା ସବୁବେଳେ କହୁଥିଲେ ନିଜେ ଉଦାହରଣ ସାଜିବାକୁ । ଏପରି କରିବା ଦ୍ବାରା ସମାଜ ପ୍ରତି ନିଶ୍ଚିତ ବାର୍ତ୍ତା ଯିବ । ତେବେ ଏହି ବୃଦ୍ଧ ଦମ୍ପତିଙ୍କ ବିଷୟରେ ଜାଣିବା ପରେ ତାଙ୍କୁ ଘର ଦିଆଯାଇଛି । ଆମେ ନିଜ ରୋଜଗାରରୁ ୧୦ରୁ ୨୦ ପ୍ରତିଶତ ଗରିବ ଲୋକଙ୍କ ପଛରେ ଖର୍ଚ୍ଚ କଲେ ସେମାନେ ଉପକୃତ ହେବେ ।"

ସେପଟେ ଘର ଖଣ୍ଡିଏ ପାଇବା ପରେ ଅସହାୟ ମହିଳା ମାଗି ଦେଈ ବିକ୍ରମଙ୍କୁ ଖୁବ ଆଶୀର୍ବାଦ କରିଛନ୍ତି । ସେ କହିଛନ୍ତି, "ଆମକୁ ପୁଅ ଘର ଦେବା ସହ ଖାଇବା ଓ ପିନ୍ଧିବାର ବନ୍ଦୋବସ୍ତ କରିଛି । ତାକୁ ଭଗବାନ ସର୍ବଦା ଆଶୀର୍ବାଦ କରନ୍ତୁ ।" ଏପରି କାର୍ଯ୍ୟ କରି ବେଶ୍ ଆତ୍ମତୃପ୍ତି ଲାଭ କରିଛନ୍ତି ବିକ୍ରମ । କୋଠାଘର ପାଇ ବେଶ ଖୁସିଥିବା ଦମ୍ପତି ନିଃସନ୍ତାନ ଥିବାରୁ ବିକ୍ରମଙ୍କୁ ତାଙ୍କ ପୁଅ କରିଥିବା କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details