ପୁରୀ: କୋଭିଡ ଟିକା ନେବା ପରେ ଜଣେ ବ୍ୟକ୍ତି ଅସୁସ୍ଥ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ବ୍ରହ୍ମଗିରିର ନହର ବାଲି ଗ୍ରାମରୁ । ଗାଁର 55 ବର୍ଷୀୟ ବାସୁଦେବ ସାହୁ ଟିକା ନେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛି ପରିବାର । ତେବେ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ଏସସିବି ମେଡ଼ିକାଲ କଲେଜକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁରୀ ଏଡିଏମଓ କହିଛନ୍ତି ।
ସୂଚନା ଅନୁଯାୟୀ ଗତକାଲି (ରବିବାର) ବାସୁଦେବ ସାହୁ କୋଭିଡ ଟିକାର ପ୍ରଥମ ଡୋଜ ନେଇଥିଲେ। ତେବେ ରାତିରେ ଜ୍ବର ଆସିବା ସହ ସେ ନିଶ୍ବାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତାଙ୍କୁ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମେଡ଼ିକାଲରେ ବାସୁଦେବଙ୍କୁ ପହଞ୍ଚେଇବାବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଡ଼ାକ୍ତର କହିଥିଲେ। ମୃତ ବାସୁଦେବଙ୍କ ମଧୁମେହ ଓ ଉଚ୍ଚ ରକ୍ତ ଚାପ ଥିବା ସହ ସେ ଚିକିତ୍ସିତ ହେଉଥିବା ପୁରୀ ଏଡିଏମଓ କହିଛନ୍ତି । ତାଙ୍କ ସହ ଅନ୍ୟ ଯେଉଁମାନେ ଟିକାଗ୍ରହଣ କରିଥିଲେ ସେମାନଙ୍କର କୌଣସି ସମସ୍ୟା ଦେଖାଯାଇନାହିଁ । ଏଣୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବା ନେଇ କହିଛନ୍ତି ଏଡିଏମଓ ।