ପୁରୀ: ଶ୍ରୀମନ୍ଦିରରେ ଯୌନ ନିର୍ଯ୍ୟାତନା ଅଭିଯୋଗ । ଜଣେ ବରିଷ୍ଠ ସେବାୟତ ଏକ ନାବଳକକୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟ ଜଣେ ସେବାୟତ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ ନାବାଳକ ପୁଅକୁ ସମ୍ପୃକ୍ତ ବରିଷ୍ଠ ସେବାୟତ ଯୌନ ନିର୍ଯ୍ୟାତନା ଦେଇଆସୁଥିବା ନେଇ ସେ ସିଂହଦ୍ବାର ଥାନାରେ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ, ନିଯୋଗ ଓ ଆରକ୍ଷୀ ଅଧିକ୍ଷକଙ୍କୁ ବି ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିବା ଅଭିଯୋଗକାରୀ ସେବାୟତ କହିଛନ୍ତି ।
ଅଭିଯୋଗ ଅନୁଯାୟୀ, ଅଭିଯୋଗକାରୀ ସେବାୟତ ଦୃଷ୍ଟିବାଧିତ ଅଟନ୍ତି । ଏଣୁ ତାଙ୍କ ନାବାଳକ ପୁଅ ତାଙ୍କୁ ସର୍ବଦା ଶ୍ରୀମନ୍ଦିରକୁ ନେବା ଆଣିବା କରେ । ନାବାଳକ ପୁଅ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଳି ଖଟୁଥିବା ବେଳେ ସେ ନିର୍ମାଲ୍ୟ ଖଳାରେ କାମ କରନ୍ତି । ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶୁଖିଲା ମହାପ୍ରସାଦ ପ୍ରସ୍ତୁତ କରନ୍ତି । ଦୁଇମାସ ତଳେ ନାବାଳକ ଜଣକ ଭୁବନେଶ୍ଵରୀ ମନ୍ଦିରରେ ଦର୍ଶନ କରୁଥିବା ବେଳେ ଲକ୍ଷ୍ମୀ ମନ୍ଦିର ସେବାୟତ ହରଚଣ୍ଡୀ ସାହିର ଲକ୍ଷ୍ମୀନାରାୟଣ ଖୁଣ୍ଟିଆ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ପ୍ରତିବାଦ କରିବାରୁ ଛାତି, ଗାଲକୁ ଚିପି ଧରି ଧମକ ଦେଇଥିଲେ । ଏପରିକି ତୁ ମୋ ସହ ହୋଟେଲ ଯିବୁ, ନ ହେଲେ ତୋତେ ମନ୍ଦିର ଭିତରେ ମାଡ଼ ମାରିବି ଏବଂ ଶ୍ରୀମନ୍ଦିରରେ ପଶିପାରିବୁନି ବୋଲି ନାବାଳକକୁ ଧମକାଇଥିଲେ ।