ପୁରୀ: ଅନଲକ-6 ର ଗାଇଡ଼ ଲାଇନ ଆସିଯାଇଛି । ବିଭିନ୍ନ ଧର୍ମାନୁଷ୍ଠାନ ଭକ୍ତଙ୍କ ପାଇଁ ଖୋଲିବାକୁ ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନକୁ ଦାୟିତ୍ବ ଦେଇଛନ୍ତି । ଫଳରେ ଏବେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ କି ନ ଖୋଲିବ ସେ ନେଇ ପୁଣି ଚର୍ଚ୍ଚା ବଢ଼ିବାରେ ଲାଗିଛି । ତେବେ ଶ୍ରୀମନ୍ଦିରକୁ ଛାଡି ରାଜ୍ୟରେ ଥିବା ଅନ୍ୟ ମନ୍ଦିର ଖୋଲିବାକୁ ସମର୍ଥନ କରିଛନ୍ତି ଶ୍ରୀମନ୍ଦିର ସେବାୟତ ।
ସେପଟେ ଶ୍ରୀମନ୍ଦିର କିନ୍ତୁ ଏବେ ଭକ୍ତଙ୍କ ପାଇଁ ଖୋଲିବା ଠିକ ହେବ ନାହିଁ ବୋଲି ବରିଷ୍ଠ ସେବାୟତ ମତ ରଖିଛନ୍ତି । କାର୍ତ୍ତିକ ମାସ ସାଧାରଣରେ ପୁରୀକୁ ଅନେକ ଭକ୍ତ ଆସିଥାନ୍ତି । ପଞ୍ଚୁକରେ ମହାପ୍ରଭୁଙ୍କ ନଗାର୍ଜୁନ ବେଶ ରହିଛି । ଏଣୁ ଏହି ସମୟରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ହଟି ଗଲେ ଶ୍ରୀମନ୍ଦିରରେ କୋଭିଡ ସଂକ୍ରମଣ ବଢିବା ଆଶଙ୍କା ରହିଛି । ଫଳରେ ଉଭୟ ସେବାୟତ ଓ ଭକ୍ତ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି । ପୁଣି ଆଗକୁ ଶୀତ ଋତୁ ଆସୁଥିବାବେଳେ କୋଭିଡ ସଂକ୍ରମଣ ବଢିବା ଆଶଙ୍କା କରାଯାଉଛି । ଏଣୁ କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର କିଭଳି ଭକ୍ତଙ୍କ ପାଇଁ ଖୋଲି ପାରିବ ସେ ନେଇ ସ୍ବତନ୍ତ୍ର ପ୍ରସ୍ତୁତି ଓ ଏକ ଖସଡ଼ା ନିର୍ଦ୍ଧାରଣ ହେବା ଉଚିତ ।