ପୁରୀ:ଏକ ପାନ ଦୋକାନରେ ମିଳୁଛି କୋଭିଡ ଟୀକା । ବିଶ୍ୱାସ ଲାଗୁନଥିଲେ ବି କଥାଟି ସତ । ସାରା ଦେଶ ମହାମାରୀ କୋଭିଡ-୧୯ ସଙ୍କଟ ଦେଇ ଗତି କରୁଥିବା ବେଳେ ଆଶାର କିରଣ ସାଜିଛି କୋଭିଡ ଟୀକା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ଟୀକା କେବଳ ସରକାରୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଚିକିତ୍ସାଳୟରେ ଉପଲବ୍ଧ ରହିବ ଟୀକା । କିନ୍ତୁ ପୁରୀ ସହରରେ ଏକ ପାନଦୋକାନରେ କୋଭିଡ ଟୀକା ଦେଖିବାକୁ ମିଳିଛି । ଏନେଇ ଭିଡିଓ ଭାଇରାଲ ହେବାପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ ।
ପୁରୀ ସହରରେ ଏବେ ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଓ ଟୀକାଦାତା ମାନେ ଟୀକା ଦେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏଥି ସହିତ ସହରରେ ବିଭିନ୍ନ ସ୍ଥାନରେ ଟୀକାଦାନ କେନ୍ଦ୍ର ରହିଛି । ପୌର କଲ୍ୟାଣ ମଣ୍ଡପ, ବେଟ୍ରିକ୍ସ ସ୍କୁଲ, କନଭେଣ୍ଟ ସ୍କୁଲ ଓ ବସଷ୍ଟାଣ୍ଡ ନିକଟରେ ଏବେ ଟୀକା ଦାନ ଜାରି ରହିଛି । କିନ୍ତୁ ଟୀକାର ଭାଏଲ ଏକ ପାନ ଦୋକାନର ଫ୍ରିଜ ଭିତରେ ଦେଖିବାକୁ ମିଳିଛି ।